ଓଲା ଇଲେକ୍ଟ୍ରିକର ଏକାଧିକ ଶୋରୁମ ଉପରେ ପରିବହନ ବିଭାଗର ରେଡ୍

ନନ୍ଦିଘୋଷ ବ୍ୟୁରୋ : ଓଲା ଇଲେକ୍ଟ୍ରିକର ଏକାଧିକ ଶୋରୁମ ଉପରେ ବଡ଼ ରେଡ। ବିଭିନ୍ନ ରାଜ୍ୟରେ ଥିବା ଓଲାର ଶୋରୁମ ଉପରେ ରେଡ୍ କରିଛନ୍ତି ପରିବହନ ବିଭାଗ ଅଧିକାରୀ। କମ୍ପାନୀ ଟ୍ରେଡ୍ ଲାଇସେନ୍ସ  ବିନା ଶୋରୁମ ଚଳାଉଥିବା ଅଭିଯୋଗ ହୋଇଛି। ଓଲାର ୪ ହଜାରରୁ ଅଧିକ ଶୋରୁମର ଏହି ଟ୍ରେଡ ଲାଇସେନ୍ସ ନଥିବା କୁହାଯାଉଛି।। ବିନା ଟ୍ରେଡ୍ ଲାଇସେନ୍ସରେ ଚାଲିଛି ଏହି ଶୋରୁମ। ଶୋରୁମ ଚଳାଇବା ପାଇଁ ଆବଶ୍ୟକ ପ୍ରମାଣପତ୍ର ସେମାନଙ୍କପାଖରେ ନଥିବା ଜଣାପଡିଛି। ଗ୍ରାହକ ଅଭିଯୋଗ କରିବା ପରେ ଶୋରୁମ ଉପରେ ଏହି ଚଢାଉ କରିଥିଲା ପରିବହନ ବିଭାଗ। କିଛି ସ୍ଥାନରେ ବାଇକ ଗୁଡିକ ଜବତ କରିଥିବା ଜଣାପଡିଛି। ଶୋରୁମକୁ ପରିବହନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ମୋଟର ଯାନ ଅଧିନିୟମ ଅନୁସାରେ ପଞ୍ଜିକରଣ ବିନା ଗାଡ଼ି ବିକ୍ରି କରୁଥିବା ସମସ୍ତ ଡିଲର ପାଖରେ ଟ୍ରେଡ୍ ଲାଇସେନ୍ସ ରହିବା ବାଧ୍ଯତାମୂଳକ। ଏହି ରେଡ୍ ପରେ ଓଲା ଇଲେକ୍ଟ୍ରିକ ମୋବିଲିଟି ସେୟାରର ଦର ୪ ପ୍ରତିଶତ ହ୍ରାସ ପାଇଛି।ସେୟାର ବଜାରରେ ଆଜି ଓଲାର ସେୟାର ୫୬ ଟଙ୍କା ୩୬ ପଇସାରେ ଖୋଲିଥିବାବଳେ ୫୪ ଟଙ୍କା ୧୨ ପଇସା ପର୍ଯ୍ୟନ୍ତ୍ ଖସି ଆସିଥିଲା। ଗତ ୫୨ ସପ୍ତାହ ମଧ୍ୟରେ ସେୟାର ବଜାରରେ ଓଲାର ଦର ସର୍ବାଧିକ ୧୫୭ ଟଙ୍କା ୪୦ ପଇସାରେ ଥିବାବେଳେ ସର୍ବନିମ୍ନ ୫୩ ଟଙ୍କା ୬୨ ପଇସାକୁ ଖସି ଆସିଥିଲା। ତେବେ ଏ ସମସ୍ତ ଅଭିଯୋଗକୁ ଓଲା କର୍ତ୍ତୃପକ୍ଷ ଭୁଲ ଦର୍ଶାଇଛନ୍ତି। ଓଲାର ଗୋଦାମ ଏବଂ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମୋଟର ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି। ତେବେ ସମସ୍ତ ଶୋରୁମ ପାଖରେ ଟ୍ରେଡ ଲାଇସେନ୍ସ ରହିଛି ନା ନାହିଁ ଏହା ସ୍ପଷ୍ଟ କରିନାହାନ୍ତି କର୍ତ୍ତୃପକ୍ଷ। ଓଲା ଇଲେକ୍ଟ୍ରିକ୍ ଏବେ ଅନେକ ବାଧାବିଘ୍ନ ମଧ୍ୟରେ ଗତି କରୁଛି। ଓଲାର ସେୟାର ୬୦ ପ୍ରତିଶତ ଖସିଥିବାବେଳେ ଗ୍ରାହକ ଗାଡିର ଗୁଣବତ୍ତା ଏବଂ ସର୍ଭିସକୁ ନେଇ ଅଭିଯୋଗ କରି ଆସୁଛନ୍ତି।