ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଜେପି ଚାହୁଁଛି, ଓଡ଼ିଶାକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟେଗାଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟେଗାଳ ହେବାରୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ ।
ତେବେ ଜୟ ନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେଡି ବିଧାୟକମାେନ ଜୋରଦାର ବିରୋଧ କରିଥିଲେ । ଜୟ ନାରାୟଣ ମିଶ୍ର ଦିନେ ବିରୋଧୀ ଦଳ ନେତା ଥିଲେ । ଏବେ ସେ ବରିଷ୍ଠ ବିଧାୟକ । ସମ୍ବଲପୁରର ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ, ସେଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା । ଏହି ଅପମାନକୁ ବରଦାସ୍ତ କରାଯିବନି । ବିଜେଡି ଏହାକୁ ନିନ୍ଦା କରୁଛି । ଅକ୍ଷମଣୀୟ ଭାବେ ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଧାୟକ ଯାହା କହିଲେ, ତାହା କେନ୍ଦ୍ରର ଆଭିମୁଖ୍ୟ । ମାତ୍ର ଏହା ଓଡ଼ିଆ ଅସ୍ମିତା ବିରୋଧୀ । ଏହା ଆମ ମହାପୁରୁଷଙ୍କ ପ୍ରତି ଅପମାନ । ରବି ନାୟକ ବି ଏ ଯାଏଁ ଏହାକୁ ଖଣ୍ଡନ କରିନାହାନ୍ତି । କେହି ସ୍ପଷ୍ଟୀକରଣ ଦେଇନାହାନ୍ତି । ଏହା ବିଜେପିର ଏଜେଣ୍ଡା ଓଡ଼ିଶାକୁ ଭାଗ ଭାଗ କରିବାକୁ । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ କିଛି ନ କହିଲେ ଆମେ ଏ କଥାକୁ ଆମେ ଗାଁ ଗାଁରେ ପହଞ୍ଚାଇବୁ । ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ୱ ପ୍ରମାଣିତ କରୁ । ଗୃହ ବାହାରେ ବି ଏହାକୁ ନିନ୍ଦା କରାଯାଇଛି । ଗୃହ ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ସରକାର ଉପରେ ଅନ୍ୟ ବିଜେଡି ବିଧାୟକମାେନ ମଧ୍ୟ ବର୍ଷିଥିଲେ ।