ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଆୟୋଜକ ପାକିସ୍ତାନ କ୍ରିକେଟର ବୋର୍ଡର ଅଧିକାରୀ କାହିଁକି ଅନୁପସ୍ଥିତ ଥିଲେ ?
1 min read
ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରେ ପୁରସ୍କାର ବିତରଣ ଉତ୍ସବ ଅବସରରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିବାଦ । ଉକ୍ତ ସମାରୋହରେ ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଏହି ପୂରା ମାମଲାକୁ ନେଇ ଏବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସ୍ପଷ୍ଟିକରଣ ରଖିଛି । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଭାରତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ହାତେଇ ଇତିହାସ ରଚିଥିଲା । ତେବେ ଏହି ଆଇସିସି ଇଭେଣ୍ଟର ପୁରସ୍କାର ବିତରଣ ଉତ୍ସବରେ କୌଣସି ପିସିବି ଅଧିକାରୀ ଉପସ୍ଥିତ ନ ରହିବା ଏବେ ବଡ଼ ବିବାଦ ସୃଷ୍ଟି କରିଛି । ଫାଇନାଲ ମ୍ୟାଚ ପରେ ମଞ୍ଚ ଉପରେ ପିସିବିର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିଲା ।
ଏନେଇ ଆଇସିସି ମୁଖପାତ୍ର କହିଛନ୍ତି, ପିସିବି ମୁଖ୍ୟ ମୋହସୀନ ନକଭୀ ଦୁବାଇ ଯାତ୍ରା କରିନଥିଲେ । ବୋର୍ଡର ଅଧିକାରୀଙ୍କୁ ପ୍ରଜେଣ୍ଟେସନ ସେରେମନି ପାଇଁ ଡକାଯାଇ ପାରିଥାନ୍ତା । ପିସିବିର କୌଣସି ବି ପଦାଧିକାରୀ ସେଥିପାଇଁ ଉପଲବ୍ଧ ନଥିଲେ । ଯେହେତୁ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲା, ତେଣୁ ପିସିବିର ଅଧିକାରୀ ସେଠାରେ ଉପସ୍ଥିତ ହେବାର ଥିଲା । ଅନ୍ୟପକ୍ଷରେ ପୂର୍ବତନ ପାକିସ୍ତାନୀ ପେସର ଶୋଏବ ଅଖତର ନିଜର ଏକ୍ସ ଆକାଉଣ୍ଟରେ ଭିଡିଓ ଶେୟାର କରି ଲେଖିଥିଲେ, ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଜିତିଲା, ମାତ୍ର ପିସିବିର କୌଣସି ପ୍ରତିନିଧି ଫାଇନାଲ ମ୍ୟାଚ ପରେ ସେଠାରେ ଉପସ୍ଥିତ ନଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ଆୟୋଜନ କରୁଥିଲା । ସେଠାରେ କୌଣସି ପିସିବି ଅଧିକାରୀ କାହିଁକି ନଥିଲେ ତାହା ସେ ଜାଣିନାହାନ୍ତି ବୋଲି ଅଖତର ଲେଖିଥିଲେ ।