ମହିଳା ଦିବସରେ ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନୀତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମହିଳା ଦିବସ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ମହିଳାମାନେ ସାମିଲ ହୋଇଥିଲେ । ସଫଳତା ସହ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ସାତ ଜଣ ସୁନାମ ଧନ୍ୟ ମହିଳାଙ୍କୁ ସମ୍ମାନିତ କରାଯାଇଛି । ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର, ସର୍ବାଧିକ ଥର ଜିଲ୍ଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ, ଛତୁ ଚାଷୀ ଜୟନ୍ତୀ ପ୍ରଧାନ, ସମ୍ବଲପୁରୀ ନାଟ୍ୟକାର ଓଜସ୍ୱିନୀ ମାହାଲ, ଗବେଷିକା ଜ୍ୟୋତିର୍ମୟୀ ମହାନ୍ତି, ଡାକ୍ତର ରୋଜା ଘୋଷ, ନିବେଦିତା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ପଟ୍ଟନାୟକ ।
ସେପଟେ ରାଜ୍ୟରେ ମହିଳାମାନେ ନିର୍ଯାତିତା ହେଉଥିବାରୁ ରାଜ୍ୟ ସରକାରକୁ ସାମ୍ଵାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ବିଜୁ ବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ମହିଳା ବିଜେଡି ଆଜି ଏହା ନିନ୍ଦା ପ୍ରସ୍ତାବ ଆଣିଛି । ବିଜେପି ସରକାରରେ ଆଜି ମହିଳା ସୁରକ୍ଷିତ ନୁହଁନ୍ତି । ଗଣଦୁଷ୍କର୍ମ, ଆତ୍ମହତ୍ୟା, ଅତ୍ୟାଚାର, ଆଦିବାସୀ ମହିଳାଙ୍କୁ ଅତ୍ୟାଚାର ସୀମା ଟପିଛି । ଏ ନେଇ ମଧ୍ଯ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ସ୍ନେହାଙ୍ଗିନୀ । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଏବେ ବିପଦରେ ପଡିଛି । ତେଣୁ ମହିଳାମାନଙ୍କୁ ନ୍ଯାୟ ନମିଳିଲେ ଆଗାମୀ ଦିନରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ।