୬୭ ଡଲାରକୁ ଖସିଲାଣି ଅଶୋଧିତ ତୈଳ: ଆଉ କେତେ ଦିନ ଲୋକଙ୍କ ପକେଟ ମାର୍ କରିବ ?

1 min read

ଭୁବନେଶ୍ବର: ବ୍ୟାରେଲ ପିଛା ଅଶୋଧିତ ତୈଳ ଦର କମି ପହଞ୍ଚିଲାଣି ୬୭ ଡଲାରରେ । ତଥାପି ଲୋକଙ୍କ ପାଇଁ କମୁନି ପେଟ୍ରୋଲ-ଡିଜେଲ ଖୁଚୁରା ଦର । ପେଟ୍ରୋଲ ଲିଟର ୧୦୧ ଟଙ୍କା ୩୭ ପଇସା । ଡିଜେଲ ଲିଟର ୯୨ ଟଙ୍କା ୮୬ ପଇସା ଦେଇ ଦହଗଞ୍ଜ ହେଉଛନ୍ତି ଲୋକେ । ଦାବି ହେଉଛି, କେନ୍ଦ୍ର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦର କମାଇ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଦିଅନ୍ତୁ । ଯେଉଁ ବିଜେପି ସରକାର ବିରୋଧୀ ଦଳରେ ଥିବା ବେଳେ ଭାଟ୍ କମାଇବାକୁ ଚିତ୍କାର କରୁଥିଲେ ଏବେ ରାଜ୍ୟରେ କ୍ଷମତାକୁ ଆସିବା ପରେ କେମିତି ଭୁଲିଗଲେ ପ୍ରଶ୍ନ ଉଠିବାରେ ଲାଗିଛି । ଖୋଦ ପେଟ୍ରୋଲ ଡିଲରସ୍ ଆସୋସିଏସନ୍ ବି ଦର କମିବା ସପକ୍ଷରେ ଯୁକ୍ତି ବାଢିଛି ।

ମାସେ ହେଲା ଅଶୋଧିତ ତୈଳ ତଳକୁ ତଳକୁ ଖସିଚାଲିଛି । ଏବେ ବ୍ୟାରେଲ ପହଞ୍ଚିଲାଣି ୬୭ ଡଲାରରେ । ତଥାପି କମୁନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ରାଜ୍ୟରେ ଏବେ ବିଜେପି ସରକାର । ଯେତେବେଳେ ବିରୋଧୀ ଭୂମିକାରେ ବିଜେପି ଥିଲା, ସେତେବେଳେ ଗଳା ଫଟାଇ ତତ୍କାଳୀନ ରାଜ୍ୟ ସରକାର ଭାଟ କମାଇବାକୁ ଚିତ୍କାର କରୁଥିଲା । ଏବେ ପେଟ୍ରୋଲ ଉପରେ ଲିଟର ପିଛା ରାଜ୍ୟ ସରକାର ୨୧ ଟଙ୍କା ୮୫ ପଇସା ଓ ଡିଜେଲ ଲିଟର ପିଛା ୧୭ ଟଙ୍କା ୯୨ ପଇସା ଭାଟ୍ ନେଉଛନ୍ତି । ଭାଟ କମ କଲେ ଲୋକେ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଆନ୍ତେ । ଏବେ ୮ ମାସ ହେଲା କ୍ଷମତାକୁ ଆସିବା ପରେ ଲୋକଙ୍କ ଦୁଃଖ ଦେଖାଯାଉନି କାହିଁକି ? ଯେପରି ଭାବେ ଅଶୋଧିତ ତୈଳ ଦର ଶସ୍ତା ହୋଇଛି ଯଦି କେନ୍ଦ୍ର ସରକାର ଓ ବିପଣନ କମ୍ପାନୀ ଚାହାଁନ୍ତେ ତା’ହେଲେ ପେଟ୍ରୋଲ-ଡିଜେଲ ଖୁଚୁରା ଦର ୭୦ ଟଙ୍କାକୁ ଖସି ପାରିବ ।

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ବି ତୃତୀୟ କ୍ବାର୍ଟର ସୁଦ୍ଧା ଅପର୍ଯ୍ୟାପ୍ତ ଲାଭ କରୁଛନ୍ତି । ଗୋଟିଏ ପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିହାତି ଦରରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛନ୍ତି । କିନ୍ତୁ ସେମାନଙ୍କ ଆଉଟଲେଟ୍ ଓଡ଼ିଶାରେ ପର୍ଯ୍ୟାପ୍ତ ନାହିଁ । ଏହାକୁ ଦୃଷ୍ଟିରେ ରଖିଲେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଲୋକଙ୍କୁ ଶସ୍ତାରେ ତେଲ ଦେବା ଦରକାର । ଯଦି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଖୁଚୁରା ଦର କମ କରନ୍ତେ, ତା’ହେଲେ ଡିଲରମାନଙ୍କର ବି ଅଧିକ ବିକ୍ରି ହୁଅନ୍ତା । ଏହାସହିତ ବାହାର ରାଜ୍ୟରୁ ଯେପରି ଚୋରାରେ ଆସି ଓଡ଼ିଶାରେ ଡିଜେଲ ଓ ବାୟୋଡିଜେଲ ବିକ୍ରି ହେଉଛି ତାହା ମଧ୍ୟ ଆଉ ଦେଖିବାକୁ ମିଳନ୍ତାନି ।

ଲୋକେ ମହଙ୍ଗା ବଜାରକୁ ମୁକାବିଲା କରି କରି ନୟାନ୍ତ ହେଲେଣି । ପେଟ୍ରୋଲ-ଡିଜେଲ ଖୁଚୁରା ମୂଲ୍ୟ ଅଧିକ ଯୋଗୁଁ ପରିବହନ ଖର୍ଚ୍ଚ ବି ମହଙ୍ଗା ହେଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ ବିତଣ୍ଡା ଯୁକ୍ତି ଦେଶର ବିକାଶ ପାଇଁ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମ କରାଯାଉନି । ଲୋକେ ମହଙ୍ଗା ମାଡ଼ରେ ଷଢ଼ୁଛନ୍ତି । ଦେଶ ବିକାଶର ନାରା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି ।