ପୁତୁରା ବୋହୂଙ୍କୁ ଅସଦାଚରଣ ! ପିଉସା ଆଖି ତାଡ଼ି ହତ୍ୟା କଲା ପୁତୁରା

ରିଆମାଳ: ପୁତୁରା ବୋହୂଙ୍କୁ ଅସଦାଚରଣ ହେଲା କାଳ । ପିଉସାଙ୍କ ଆଖି ତାଡ଼ି ହତ୍ୟା କଲା ପୁତୁରା । ଏମିତି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଅଁରପାଳ ଗାଁରେ । ମୃତକ ହେଲେ ସେହି ଗାଁର ଫକୀର ମୋହନ ଧରୁଆ ।

ଅଭିଯୋଗ ଅନୁସାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଫକୀର ଆସିଥିଲେ । ଏହି ସମୟରେ ସେ ତାଙ୍କ ପୁତୁରା କୃଷ୍ଣଚନ୍ଦ୍ର କୁମୁରାଙ୍କ ପତ୍ନୀ ଅର୍ଥାତ ପୁତୁରା ବୋହୂଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ କୃଷ୍ଣଚନ୍ଦ୍ର ପ୍ରତିଶୋଧ ପରାୟଣ ହୋଇ ଏକ ଧାରିଆ ଅସ୍ତ୍ରରେ ଫକୀରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିଲା । ଏତିକିରେ କୃଷ୍ଣଚନ୍ଦ୍ରଙ୍କ ରାଗ ଶାନ୍ତ ହୋଇ ନଥିଲା । ସେ ମୃତ ଫକୀରଙ୍କ ଆଖିକୁ ତାଡ଼ି ଡୋଳା ବାହାର କରିଦେଇଥିଲେ ।

ଖବର ପାଇବା ପରେ ପୋଲିସ ଗାଁରେ ପହଞ୍ଚି ମୃତ ଫକୀରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ।