ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବର୍ଷା ହେଲେ ଟ୍ରଫି ହାତେଇବ କିଏ, କ’ଣ ହେବ ଫାଇନାଲ ଫଳାଫଳ?

1 min read

ଫେବୃଆରୀ ୯ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯିବ । ସୁପର ସଣ୍ଡେରେ ହେବାକୁ ଥିବା ସୁପର ଫାଇଟକୁ ବିଶ୍ବର କୋଟି କୋଟି କ୍ରୀଡ଼ାପ୍ରେମୀ ବେଶ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ଚଳିତ ଚାମ୍ପିୟନ୍ସ ଟ୍ରଫିର କିଛି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ଉକ୍ତ ସ୍ଥିତିରେ ଉଭୟ ଟିମଙ୍କୁ ୧-୧ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଥିଲା । ତେବେ ଆସନ୍ତା ୯ ତାରିଖରେ ଯଦି ବର୍ଷା ହେବ, ଆଉ ମ୍ୟାଚ ବାତିଲ ହୁଏ, ତେବେ ଏପରି ସ୍ଥିତିରେ କ’ଣ ହେବ? କାହାକୁ ଚାମ୍ପିୟନ ଭାବେ ଘୋଷଣା କରାଯିବ, ସେନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନ ।

ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ଖେଳାଯିବ । ଶେଷ ଥର ପାଇଁ ୨୦୦୦ ମସିହାରେ ଉଭୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲେ । ସେତେବେଳେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟ୍ରଫ ହାତେଇଥିଲା । ତେଣୁ ଏଥର ଭାରତ ୨୫ ବର୍ଷ ତଳର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିରେ ନ୍ୟୁଜିଲାଣ୍ଡ ୩୫୦ରୁ ଅଧିକ ଟାର୍ଗେଟ ଦେଇଥିବାରୁ କିଓ୍ବିକୁ ଦୁର୍ବଳ ଭାବିବା ରୋହିତ ବାହିନୀକୁ ମହଙ୍ଗା ପଡ଼ିପାରେ ।

ତେବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ସେଥିପାଇଁ ICC କ’ଣ ବ୍ୟବସ୍ଥା ଗ୍ରହଣ କରିଛି, ଏ ବାବଦରେ ଜାଣିବା ପାଇଁ କ୍ରିକେଟ ପ୍ରେମୀ ବ୍ୟଗ୍ର ହୋଇ ଉଠିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ବର୍ଷାର କୌଣସି ସମ୍ଭାବନା ନାହିଁ । ଯଦି ବର୍ଷା ହୁଏ ଓ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ସେଥିପାଇଁ ICC ବ୍ୟବସ୍ଥା କରିଛି । ଏପରି ସ୍ଥିତିରେ ରିଜର୍ଭ ଡେ ଅର୍ଥାତ ମାର୍ଚ୍ଚ ୧୦ରେ ଖେଳାଯିବ । ICC ଏଥିପାଇଁ ନିୟମରେ ପରିବର୍ତ୍ତନ କରିଛି । ଯଦି ମାର୍ଚ୍ଚ ୯ରେ କିଛି ଖେଳ ହୋଇ ବାଧାପ୍ରାପ୍ତ ହୁଏ, ତେବେ ଏପରି ସ୍ଥିତିରେ ମାର୍ଚ୍ଚ ୧୦ରେ ପୂର୍ବଦିନର ଅସମାପ୍ତ ଖେଳ ପୁଣି ଖେଳାଯିବ ।

ଏଭଳି ସ୍ଥିତି ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଥିଲା ୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଉଭୟ ଭାରତ ଓ ଶ୍ରୀଲଙ୍କାକୁ ICCର ନିୟମ ଅନୁସାରେ ବିଜୟୀ ଘୋଷିତ କରାଯାଇଥିଲା । ଏଥର ଯଦି ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ଉଭୟ ଟିମଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ICC ଚଳିତ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ମଧ୍ୟ ରିଜର୍ଭ ଡେ ବ୍ୟବସ୍ଥା ରଖିଥିଲା ।

ଉଭୟ ଟିମ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୯ଟି ଦିନିକିଆ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୬୧ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟିରେ ଜିତିଛି । ୭ଟି ମ୍ୟାଚରେ ଫଳାଫଳ ବାହାରି ପାରିନଥିଲା । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା ।  ତେଣୁ ଏଥର ନ୍ୟୁଜିଲାଣ୍ଡକୁ ହରାଇ ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି ରୋହିତ ସେନା ।

ନଜର ପକାନ୍ତୁ