ଜନଗଣନା ପରେ ଆସନ୍ତାବର୍ଷ ସୀମା ପୁନଃନିର୍ଦ୍ଧାରଣ; ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦେଖି ଚାଲିବ ପ୍ରକ୍ରିୟା

1 min read

ନନ୍ଦିଘୋଷ ବ୍ୟୁରୋ : ଜନସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ହେବ । ସାରା ଦେଶରେ ଏହି ପ୍ରକ୍ରିୟା କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିବା ବେଳେ ଅନେକ ରାଜ୍ୟରେ ଏ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପ୍ରଥମେ ୨୦୨୫ରେ ଜନଗଣନା ଓ ୨୦୨୬ରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ତ୍ବରାନ୍ବିତ ହେବ । ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦେଖି ଯଦି ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ଓଡିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୁକ୍ତି- ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ସୀମା ପୁନଃନିର୍ଦ୍ଧାରଣ କରାଯାଉ । କିଛି ରାଜ୍ୟରେ ଦେଖାଦେଇଥିବା ବିବାଦକୁ ମଧ୍ୟ ଏଡାଇ ଦେବା ଅନୁଚିତ । କାହିଁକି ଏଯାଏଁ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରୁନାହାଁନ୍ତି ବୋଲି ଦଳ ପ୍ରଶ୍ନ ଉଠାଇଛି । ଓଡିଶା ସରକାର ଜନସଂଖ୍ୟା ନିୟନ୍ତ୍ରଣରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇଛନ୍ତି । ତେଣୁ ଏହାଦ୍ବାରା କେଉଁଠି ନା କେଉଁଠି ଓଡିଶା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ରାଜ୍ୟର ଉଭୟ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବଢିବା ଦରକାର । ସେହି ଅନୁସାରେ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି- ପ୍ରଥମେ କେନ୍ଦ୍ର ସରକାର ଜନଗଣନା କରନ୍ତୁ । ଜନଗଣନା ନକରି କେଉଁ ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରିବେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ବିଜେପି ବିଧାୟକ ଅଶ୍ବିନୀ ଷଢଙ୍ଗୀ କହିଛନ୍ତି- କେନ୍ଦ୍ର ସବୁ ଦିଗକୁ ବିଚାର କରି ନିୟମ ଅନୁସାରେ ସୀମା ପୁନଃନିର୍ଦ୍ଧାରଣ କରୁଛନ୍ତି । ସୀମା ପୁନଃନିର୍ଦ୍ଧାରଣ କରାଗଲେ ଓଡିଶାର କେତେ ଲୋକସଭା ଓ କେତେ ବିଧାନସଭା ଆସନ ବଢିବ ଓ କେବେ ଜାତିଭିତ୍ତିକ ଜନଗଣନା କରାଯିବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।