୮ ମାସରେ ଆଣ୍ଠେଇଲାଣି ରାଜ୍ୟ ଆର୍ଥିକ ବିକାଶ, କେରଳଠାରୁ ପଛରେ ଓଡି଼ଶା

1 min read

ଭୁବନେଶ୍ବର: ଓଡ଼ିଶାରେ ପଛେଇଲାଣି ଆର୍ଥିକ ବିକାଶ । ରାଜ୍ୟରେ ସରକାର ପରିବର୍ତ୍ତନର ୮ ମାସ ପରେ ଅର୍ଥନୀତିରେ କେରଳଠାରୁ ପଛରେ ପଡ଼ିଛି ଓଡ଼ିଶା । ୨୦୨୪-୨୫ରେ ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ ନମ୍ବର ସ୍ଥାନରେ କିନ୍ତୁ ଓଡ଼ିଶା ୧୪ ତମ ସ୍ଥାନରେ । କେରଳରେ ଧାଏଁ ଧାଏଁ ଚାଲିଛି ଜାତୀୟ ରାଜପଥ ବିକାଶ ।  ଅଣ ବିଜେପି ଶାସିତ ରାଜ୍ୟ ହୋଇ କେରଳ କେନ୍ଦ୍ରଠାରୁ ୫ ବର୍ଷରେ ଟାଣିପାରିଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ପାଇଛି ମାତ୍ର ୧୭ ହଜାର କୋଟି । କେରଳ ପାଇଁ ଦିଲ୍ଲୀରେ ଲବି କରି ସଫଳତା ପାଉଛନ୍ତି ସେଠାକାର ସାଂସଦ । ଅଥଚ ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ରାଜ୍ୟର ବୃହତ୍ତର ବିକାଶ ପାଇଁ ପଦୁଟିଏ ମୁହଁ ଖୋଲିଲେନି ବୋଲି ଅଭିଯୋଗ ହୋଇଛି ।

ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ତମ ସ୍ଥାନରେ । ଓଡ଼ିଶା ତଳକୁ ଖସି ୧୪ ତମ ସ୍ଥାନରେ । ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ବରାଦରେ କେରଳଠାରୁ ୨ ଗୁଣ ଅଧିକ ଖର୍ଚ୍ଚ କଲା ଓଡ଼ିଶା । ହେଲେ ଘରୋଉ ଉତ୍ପାଦ ବୃଦ୍ଧିରେ କେରଳ ଓଡ଼ିଶାଠାରୁ ୭୦ ପ୍ରତିଶତ ଆଗରେ । କେରଳ ସାଂସଦ ଦିଲ୍ଲୀରେ ଟେବୁଲ ବାଡ଼େଇ ରାଜ୍ୟ ବିକାଶ ପାଇଁ ଟଙ୍କା ଟାଣୁଛନ୍ତି । ହେଲେ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ ସାଂସଦଙ୍କ ମୁହଁରେ ଯେପରି ତୁଣ୍ଡି ବନ୍ଧା ହୋଇଥିବା ଅଭିଯୋଗ ହୋଇଛି । କେରଳ ପାଇଁ ଏଲ ଆଣ୍ଡ୍ ଟି ଭଳି ବଡ଼ ଠିକାସଂସ୍ଥା ଗୋଡ଼ ଟେକି ବସୁଛନ୍ତି । ଅଥଚ ଓଡ଼ିଶାରେ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ଼ ପାଇଁ ବାରମ୍ବାର ଟେଣ୍ଡର ପରେ ବି କେହି ଠିକାଦାର ମିଳୁନାହାନ୍ତି । ହେଲେ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ଡବଲ ସ୍ପିଡରେ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଥିବା ସମୀକ୍ଷକ କହିଲେଣି ।

କମ୍ ଖର୍ଚ୍ଚରେ କେରଳ ଓଡ଼ିଶାଠାରୁ ଭଲ ପ୍ରଦର୍ଶନ କରିବାରେ ସଫଳତା ପାଇଛି । ଚଳିତ ଆର୍ଥିକ ବର୍ଷରେ କେରଳର ପୁଞ୍ଜି ବ୍ୟୟ ରହିଛି ୧୪ ହଜାର ୭୦ କୋଟି । ଓଡ଼ିଶା କରିଛି ୫୮ ହଜାର ୧୯୫ କୋଟି । କେରଳର କାର୍ଯ୍ୟକ୍ରମ ବ୍ୟୟବରାଦ ୮୦ ହଜାର ୪୪୯ କୋଟି । ଓଡ଼ିଶାର ପ୍ରାୟ ୧ ଲକ୍ଷ ୫୫ ହଜାର କୋଟି । ମାନେ ଡବଲ୍ ଖର୍ଚ୍ଚ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାଠାରୁ କାହିଁ କେତେ ଉପରେ ରହିଛି କେରଳ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେରଳ ଋଣବୋଝରେ ବୁଡ଼ିଥିଲେ ବି ଗୁଣାତ୍ମକ ଭିତ୍ତିଭୂମି ବିକାଶରେ ଶୀର୍ଷ ସ୍ଥାନରେ ରହିଲାଣି ।

ଅଣବିଜେପି ଶାସିତ ରାଜ୍ୟ ହୋଇ କେରଳ ଜାତୀୟ ରାଜପଥ ବିକାଶରେ ଓଡ଼ିଶାଠାରୁ ବହୁ ଆଗରେ । ଗତ ୫ ବର୍ଷରେ କେରଳ ଏନଏଚଆଇଠାରୁ ପାଇଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ସେହି ସମୟ ଭିତରେ ପାଇଛି ମାତ୍ର ୧୭ ହଜାର ୨୯୬ କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ଓଡିଶାର ଘରୋଇ ଉତ୍ପାଦ ମାତ୍ର ୮୫ ହଜାର କୋଟି ଛୁଇଁଥିବାବେଳେ କେରଳ ୧ ଲକ୍ଷ ୪୪ ହଜାର ୨୩୬ କୋଟିରେ ପହଞ୍ଚିଲାଣି । ୨୦୨୪ ନିର୍ବାଚନରେ ୨୦ ଜଣ ସାଂସଦ ଓଡିଶାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନେ କେବଳ ପୂର୍ବ ସରକାରଙ୍କୁ ସମାଲୋଚନା ଓ ରାଜନୈତିକ ବୟାନବାଜି ଛଡ଼ା ୮ ମାସ ହେଲାଣି ଆଉ କିଛି କରିପାରିନାହାନ୍ତି । ମୋହନ ସରକାରଙ୍କ ଦୁଇଟି ବଜେଟରେ ରାଜ୍ୟ ଋଣଭାର ଅତିରିକ୍ତ ୯୧ ହଜାର କୋଟି ଛୁଇଁଲାଣି ।

୨୦୩୬ ବେଳକୁ ଓଡ଼ିଶା ଅର୍ଥନୀତି ୫୦୦ ବିଲିୟନ ଆମେରିକୀୟ ଡଲାର ବା ୪୩ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିବ । ଏପରି ଦାବି କରି ଚାଲିଛନ୍ତି ଏବର ବିଜେପି ସରକାର । ଯେଉଁଥି ପାଇଁ ବଜେଟ୍ ଆକାର ମଧ୍ୟ ପ୍ରତିବର୍ଷ ବଢି ବଢିଚାଲିଛି । ୮ ମାସ ହେଲାଣି କେବଳ ରଙ୍ଗ ବଦଳାଇବା, ଯୋଜନାର ନାମ ବଦଳାଇ ପ୍ରଚାର ଓ ପୋଷ୍ଟରରେ ସୀମିତ ରହିଛି । ଏପରି ଚାଲିଲେ ୨୦୩୬ କ’ଣ ୨୦୫୦ ବେଳକୁ ରାଜ୍ୟ ବିକଶିତ ଓଡ଼ିଶାରେ ରୂପାନ୍ତର ହୋଇଥିବ କି ନାହିଁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।