ସର୍ବିଆର ସଂସଦରେ ବିଶୃଙ୍ଖଳା ! ଗୃହରେ ବିରୋଧୀ ଫିଙ୍ଗିଲେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍

ନନ୍ଦିଘୋଷ ବ୍ୟୁରୋ : ୟୁରୋପୀୟ ଦେଶ ସର୍ବିଆ ସଂସଦରେ ଭୟଙ୍କର ହଟ୍ଟଗୋଳ ।ସଂସଦରେ ବିରୋଧୀ ମାନେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍ ଲବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଛନ୍ତି । ଯାହା ଫଳରେ ସଂସଦ ଅଧିବେଶନରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏପରିକି ସଂସଦରେ ସାଂସଦ ମାନେ ହାତାହାତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ସରକାରୀ ନୀତିକୁ ପ୍ରତିବାଦ କରି ସର୍ବିଆର ବିରୋଧୀ ଦଳ ସାଂସଦ ମାନେ ସଂସଦ ଭିତରେ ଏପରି କାଣ୍ଡ ଭିଆଇଛନ୍ତି । ଯାହା ସଂସଦୀୟ ଅଧିବେଶନ ସିଧା ପ୍ରସାରଣ ବେଳେ ଟେଲିଭିଜନରେ ଦେଖାଯାଇଥିଲା । ଏହା ପରେ ସମଗ୍ର ଗୃହରେ କଳା ଏବଂ ଗୋଲାପି ଧୂଆଁ ବ୍ୟାପିଯାଇଥିଲା ଏବଂ ସମସ୍ତେ ଏଣେ ତେଣେ ଦୌଡିବା ଆରମ୍ଭ କରିଦେଇଥିଲେ ।

କେଉଁ ପ୍ରସଙ୍ଗ ନେଇ ହେଲା ହଙ୍ଗାମା ?

୪ମାସ ପୂର୍ବେ ସର୍ବିଆରେ ଏକ ରେଳ ଷ୍ଟେସନ ଛାତ ଭୁଶୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା  । ବିଧାନସଭା ଅଧିବେଶନରେ ଏସଏନଏସ୍ ଶାସକ ଦଳ ଏକ ଏଜେଣ୍ଡାକୁ ଅନୁମୋଦନ କରିଥିଲା ଯାହାକୁ କିଛି ବିରୋଧୀ ନେତା ଆସନରୁ ଉଠି ବାଚସ୍ପତିଙ୍କ ପାଖକୁ ଯାଇ ଏହାର ପ୍ରତିବାଦ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ବିରୋଧୀ ସାଂସଦ ଗୃହରେ ଧୂଆଁ ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଥିଲେ । ଯାହା ଫଳରେ ପୂରା ଗୃହ ଧୂଆଁମୟ ହୋଇଯାଇଥିଲା