ଟିମ୍ ଇଣ୍ଡିଆ ଏଥର ସାବଧାନ: ଟ୍ରେଭିସ ହେଡଙ୍କ ପାଇଁ ଭାରତ ଦୁଇଥର ବିଶ୍ବକପ ଫାଇନାଲରେ ହାରିଥିଲା

1 min read

ଦୁବାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମୁକାବିଲା ହେବ । ବିଶ୍ବର ଦୁଇ ଅନ୍ୟତମ ଶକ୍ତିଶାଳୀ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲାକୁ ସାରା ବିଶ୍ବ ଚାହିଁ ରହିଛି । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆର ଜଣେ ଘାତକ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ଏହି ଖେଳାଳିଙ୍କ ପାଇଁ ଭାରତ ଦୁଇଥର ବିଶ୍ବ ଚାମ୍ପିୟନରୁ ବଞ୍ଚିତ ହୋଇଥିଲା । ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡଙ୍କ ପାଇଁ ଭାରତ ଦୁଇଥର ଫାଇନାଲରେ ପରାସ୍ତ ହୋଇଥିଲା । ତେଣୁ ଏଥର ସେହି ଘଟଣାର ପୁନରାବୃତ୍ତି ଯେପରି ନ ଘଟିବ, ତାହା ଟିମ୍ ଇଣ୍ଡିଆ ଧ୍ୟାନ ଦେବା ଆବଶ୍ୟକ ।

୨୦୨୩ ଦିନିକିଆା ବିଶ୍ବକପର ଫାଇନାଲରେ ହେଡ ଭାରତ ବିପକ୍ଷରେ ୧୨୦ଟି ବଲରୁ ୧୩୭ ରନ୍ ସଂଗ୍ରହ କରିଥିଲେ । ଫଳରେ କଙ୍ଗାରୁ ଟିମ୍ ୬ଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ ହୋଇପାରିଥିଲା । ତା’ ପୂର୍ବରୁ ୨୦୨୩ ଜୁନ ୭-୧୧ରେ ଇଂଲଣ୍ଡର ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଭାରତର ଅବସ୍ଥା ଶୋଚନୀୟ କରିଦେଇଥିଲେ ହେଡ । ହେଡ ୧୬୩ ରନର ଶାନଦାର ପାଳି ଖେଳି ଭାରତ ପାଖରୁ ମ୍ୟାଚ ଛଡ଼ାଇ ନେଇଥିଲେ । ଫାଇନାଲରେ ଭାରତ ୨୦୯ ରନରେ ପରାସ୍ତ ହୋଇଥିଲା । ସବୁଠାରୁ ଖାସ୍ କଥା ହେଉଛି, ହେଡ୍ ICC ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଏକ ’ଓ୍ବାଲ’ ଭଳି ଠିଆ ହେଉଛନ୍ତି । ଯାହାକି ଭାରତର ପରାଜୟର କାରଣ ସାଜୁଛି । ତେଣୁ ଏଥର ହେଡଙ୍କୁ ରୋକିବାକୁ ରୋହିତ ବାହିନୀ ପ୍ରାଣପଣେ ପ୍ରୟାସ କରିବା ଦରକାର ।