ସେହି ପ୍ରଧାନମନ୍ତ୍ରୀଙ୍କ କାହାଣୀ ଯିଏ ୪ ବର୍ଷରେ ଥରେ ପାଳୁଥିଲେ ଜନ୍ମଦିନ
1 min read
ଭାରତବର୍ଷ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି, ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇପାରିଛି । ସେମାନଙ୍କ ମଧ୍ୟରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଭାଇ ଦେସାଈ ଜଣେ ଶକ୍ତିଶାଳୀ ରାଜନେତା ଭାବେ ଖ୍ୟାତି ଅଜର୍ନ କରିଥିଲେ । ଫେବୃଆରୀ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ମୋରାରଜୀ ୯୯ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ । ମୋରାରଜୀ ପ୍ରତି ୪ ବର୍ଷରେ ଥରେ ନିଜର ଜନ୍ମଦିନ ପାଳନ କରୁଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀଙ୍କ ସହିତ ମୋରାରଜୀଙ୍କର କେବେ ବି ପଡ଼ୁ ନଥିଲା । ମୋରାରଜୀ ସ୍ବମୂତ୍ରପାନକୁ ସମର୍ଥନ କରୁଥିଲେ ଓ ତା’ର ଫାଇଦା ବିଷୟରେ ମଧ୍ୟ କହୁଥିଲେ । ଏହା ଦୀର୍ଘଜୀବନର ରହସ୍ୟ ବୋଲି ସେ କହୁଥିଲେ । ଏହି କାରଣରୁ ବୋଧହୁଏ ମୋରାରଜୀ ନିଜେ ୯୯ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିଥିଲେ ବୋଲି କୁହାଯାଇଥାଏ ।
ମୋରାରଜୀ କହୁଥିଲେ, ନିଜର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ସ୍ବ-ମୂତ୍ରପାନ ଏକ ସଠିକ୍ ଔଷଧର ମିଶ୍ରଣ । ମୋରାରଜୀଙ୍କ ଏହି ଯୁକ୍ତିର କୌଣସି ବୈଜ୍ଞାନିକ କାରଣ ନଥିଲା । ମାତ୍ର ସେ ୯୯ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିଥିଲେ । ତେଣୁ ସ୍ବମୂତ୍ରପାନ ମୋରାରଜୀଙ୍କ ଦୀର୍ଘ ଜୀବନର ସୂତ୍ର ବୋଲି ଅନେକ ଲୋକ କହୁଥିଲେ । ୧୯୭୭ରେ ଦେଶରେ ପ୍ରଥମ ଥର ଅଣକଂଗ୍ରେସ ସରକାର କ୍ଷମତାକୁ ଆସିଥିଲା ଓ ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପ୍ରଥମ ଗୁଜରାଟୀ ପ୍ରଧାନମନ୍ତ୍ରୀ ଥିଲେ । ମାତ୍ର ସେ ଅଧିକ ସମୟ ଧରି ସେହି ପଦରେ ରହିପାରିନଥିଲେ, ସରକାର ଭାଙ୍ଗି ଯାଇଥିଲା । ଅନୁଶାସନ ଓ ସଚ୍ଚୋଟତା ସହ ମୋରାରଜୀ କେବେ ବି ବୁଝାମଣା କରୁନଥିଲେ । ସେଥିପାଇଁ ତାଙ୍କୁ କଠୋର ବୋଲି କୁହାଯାଉଥିଲା ।
୧୮୯୬ ମସିହା ଫେବୃଆରୀ ୨୯ ତାରିଖରେ ମୋରାରଜୀ ଜନ୍ମଗ୍ରହଣ କରିଥିଲେ । ୮୧ ବର୍ଷ ବୟସରେ ସେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୫ ମସିହା ଏପ୍ରିଲ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ସବୁଠାରୁ ଅଧିକ ବୟସରେ ପ୍ରଧାନମନ୍ତ୍ରୀ ଆସନରେ ବସିବାରେ ସେ ଥିଲେ ଦେଶର ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ଏହା ପୂର୍ବରୁ ନେହରୁଙ୍କ ପରଲୋକ ପରେ ସେ ପ୍ରଧାନମନ୍ତ୍ରୀ ହେବାକୁ ଦୁଇଥର ପ୍ରୟାସ କରିଥିଲେ, ମାତ୍ର ଅସଫଳ ହୋଇଥିଲେ । ମୋରାରଜୀ ଜଣେ ଦକ୍ଷ ନେତା ଥିଲେ । ନେହରୁଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସବୁଠାରୁ ବଡ଼ ଦାବିଦାର ଥିଲେ । ମାତ୍ର ସେ ସମୟରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ଶାସ୍ତ୍ରୀଙ୍କ ବିୟୋଗ ପରେ ମୋରାରଜୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା । ମାତ୍ର ଏପରି ହୋଇନଥିଲା, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଇନ୍ଦିରାଙ୍କ ସମୟରେ ଜରୁରୀକାଳୀନ ପରିସ୍ଥିତିରେ ମୋରାରଜୀଙ୍କୁ ଜେଲ ଯିବାକୁ ପଡ଼ିଥିଲା । ୧୯୭୭ ମସିହା ମାର୍ଚ୍ଚରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ହୋଇଥିବା ସାଧାରଣ ନିର୍ବାଚନରେ ଜନତା ପାର୍ଟି ବିଜୟ ହାସଲ କରିଥିଲା । ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ଚୌଧରୀ ଚରଣ ସିଂହଙ୍କ ସହ ମତଭେଦ କାରଣରୁ ସେ ଏକ ବର୍ଷ ପ୍ରଧାନମନ୍ତ୍ରୀ ପଦରେ ରହିପାରିଥିଲେ ।
ମୋରାରଜୀଙ୍କ ପିତା ରଣଛୋଡ଼ଜୀ ଦେସାଇ ଭାବନଗର (ସୌରାଷ୍ଟ୍ର)ରେ ଏକ ସ୍କୁଲରେ ଅଧ୍ୟାପକ ଥିଲେ । ଅବସାଦ କାରଣରୁ ମୋରାରଜୀଙ୍କ ପିତା କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ପିତାଙ୍କ ମୃତ୍ୟୁର ତୃତୀୟ ଦିନ ମୋରାରଜୀ ବିବାହ କରିଥିଲେ । ପିତାଙ୍କ ପାଇଁ ତାଙ୍କ ମନରେ ବହୁତ ସମ୍ମାନ ରହିଥିଲା । ମୁମ୍ବାଇର ଏଲଫିଙ୍ଗଷ୍ଟନ କଲେଜରେ ମୋରାରଜୀ ଶିକ୍ଷା ଗ୍ରହଣ କରିଥିଲେ । ସେ ସମୟରେ ଉକ୍ତ ଶିକ୍ଷାନୁଷ୍ଠାନ ଖୁବ ମହଙ୍ଗା ଓ ଖର୍ଚ୍ଚାନ୍ତ ଭାବେ ଜଣାଶୁଣା ଥିଲା । ପିଲାବେଳେ ସେ କ୍ରିକେଟ ବହୁତ ଦେଖୁଥିଲେ, ମାତ୍ର କେବେ ଖେଳିନଥିଲେ । ଇଂରେଜ ଶାସନ ସମୟରେ ମୋରାରଜୀ ଉପ-ଜିଲ୍ଲାଧୀଶ ହୋଇଥିଲେ, ମାତ୍ର ୧୯୩୦ରେ ବ୍ରିଟିଶ ସରକାରର ଚାକିରି ଛାଡ଼ିଦେଇ ସ୍ବାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ । ସେ ବମ୍ବେ ରାଜ୍ୟର କଂଗ୍ରେସ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ମୋରାରଜୀ ବହୁତ ଜିଦଖୋର ବୋଲି ଧାରଣା ଥିଲା । ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ବିଷୟରେ ଗୁଜରାଟର ସମ୍ବାଦପତ୍ରଗୁଡ଼ିକରେ ବ୍ୟଙ୍ଗ ମଧ୍ୟ ପ୍ରକାଶ ପାଉଥିଲା ।
୧୯୫୨ରେ ମୋରାରଜୀ ବମ୍ବେର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୭ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ମୋରାରଜୀଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯାଇଥିଲା । ମାତ୍ର ସେ ସିନିୟର ହୋଇଥିଲେ ବି ଇନ୍ଦିରାଙ୍କୁ କାହିଁକି ପ୍ରଧାନମନ୍ତ୍ରୀ କରାଗଲା, ସେନେଇ ମୋରାରଜୀ ଅସନ୍ତୁଷ୍ଟ ଥିଲେ । ଇନ୍ଦିରାଙ୍କ ସହ ମୋରାରଜୀଙ୍କର କେବେ ବି ପଡ଼ୁନଥିଲା । ଇନ୍ଦିରାଙ୍କ କାମରେ ମୋରାରଜୀ ସର୍ବାଦା ବାଧା ସୃଷ୍ଟି କରୁଥିଲେ । ମୋରାରଜୀ ତାଙ୍କର କାମରେ ସମସ୍ୟା ସୃଷ୍ଟି କରୁଥିବା ଜାଣିବା ପରେ ଇନ୍ଦିରା ତାଙ୍କର ପାଦ କାଟିବା ଆରମ୍ଭ କରିଦେଇଥିଲେ । ୧୯୬୯ ମସିହା ନଭେମ୍ବରରେ କଂଗ୍ରେସର ବିଭାଜନ ଘଟିଥିଲା ଓ ଇନ୍ଦିରା ନୂଆ କଂଗ୍ରେସ ଗଠନ କରିଥିଲେ । ସେ ସମୟରେ ମୋରାରଜୀ ଇନ୍ଦିରାଙ୍କ ବିରୋଧୀ ଗୋଷ୍ଠୀଙ୍କ କଂଗ୍ରେସ-ଓ ପାର୍ଟିରେ ରହିଥିଲେ ।
୧୯୭୫ରେ ମୋରାରଜୀ ଜନତା ପାର୍ଟିରେ ସାମିଲ ହୋଇଥିଲେ । ୧୭୭୭ ମାର୍ଚ୍ଚରେ ଲୋକସଭା ନିର୍ବାଚନରେ ଜନତା ପାର୍ଟି ସ୍ପଷ୍ଟ ବହୁମତ ହାସଲ କରିଥିଲେ ବି ମୋରାରଜୀ ପ୍ରଧାନମନ୍ତ୍ରୀ ହେବା ଏତେ ସହଜ ନଥିଲା । କାରଣ ଚୌଧରୀ ଚରଣ ସିଂହ ଓ ଜଗଜୀବନ ରାମ ମଧ୍ୟ ଉକ୍ତ ପଦ ପାଇଁ ଦାବିଦାର ଥିଲେ । ଏପରି ସ୍ଥିତିରେ ଜୟପ୍ରକାଶ ନାରାୟଣଙ୍କ ସମର୍ଥନ କାମରେ ଆସିଥିଲା ଓ ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ହେବା ପରେ ମୋରାରଜୀ ଦେଶର ୯ଟି ରାଜ୍ୟରେ କଂଗ୍ରେସ ଶାସିତ ସରକାରକୁ ଭଙ୍ଗ କରିଦେଇଥିଲେ । ରାଜ୍ୟମାନଙ୍କରେ ନୂଆ ନିର୍ବାଚନ କରାଯିବା ନେଇ ଘୋଷଣା କରିଥିଲେ । ତାଙ୍କର ଏହି ପଦେକ୍ଷପକୁ ନେଇ ବହୁ ଆଲୋଚନା ହୋଇଥିଲା । ମୋରାରଜୀଙ୍କ ଶାସନ ସମୟରେ ଦେଶରେ କ୍ରମାଗତ ଅବ୍ୟବସ୍ଥା ସବୁ ଦେଖିବାକୁ ମିଳିଥିଲା । ବାସ୍ତବରେ ଜନତା ପାର୍ଟି ଏକ ଖେଚୁଡ଼ି ସରକାର ଥିଲା, ଯେଉଁଥିରେ କି ଭିନ୍ନ ଭିନ୍ନ ବିଚାରଧାରାର ନେତାମାନେ ମନ୍ତ୍ରୀ ହୋଇଥିଲେ । ସରକାର ଅନୁସାରେ ନୁହେଁ, ବରଂ ସମସ୍ତ ନିଜ ନିଜ ତରିକାରେ କାମ କରୁଥୁଲେ ।
ମୋରାରଜୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ୧୯୭୯ରେ ଅର୍ଦ୍ଧସାମରିକ ବଳ ବିଦ୍ରୋହ କରିଥିଲା, ତାହାକୁ ନିୟନ୍ତ୍ରର କରିବା ପାଇଁ ବହୁ ସମୟ ଲାଗିଥିଲା । ୧୯୭୮-୭୯ରେ ଅନେକ ରାଜ୍ୟରେ ଶୁଷ୍କ ଦେଖିବାକୁ ମିଳିଥିଲା । ଅକାଳ ସ୍ଥିତି ସୃଷ୍ଟି ହେବା ସହ ମହଙ୍ଗା ବଢ଼ିଯାଇଥିଲା ଓ କିରାସିନୀ ତେଲ ମଧ୍ୟ ଗରିବ ଜନତାଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଥିଲା । କୌଣସି ମନ୍ତ୍ରୀଙ୍କ ଉପରେ ମୋରାରଜୀଙ୍କ ଜୋର ରହିନଥିଲା । ୧୯୭୯ ମସିହା ଜୁଲାଇ ୧୫ରେ ମୋରାରଜୀ ସରକାର ବହୁମତ ହରାଇଥିଲା, ତେଣୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ତାଙ୍କୁ ଗାନ୍ଧୀବାଦୀ ନୀତିର ପରମ ସମର୍ଥକ କୁହାଯାଉଥିଲା । ସେ ଯେଉଁ ନିଷ୍ପତ୍ତି ଗ୍ରହଣ କରୁଥିଲେ, ତାହାକୁ ଜାରି ରଖୁଥିଲେ । ତେବେ ଏହି ସଚ୍ଚୋଟ ନେତା ଜଣଙ୍କ କୌଣସି ପରିସ୍ଥିତିରେ ବି ସାଲିସ କରିପାରି ନଥିଲେ ।
ମୋରାରଜୀ ’ସ୍ବ-ମୂତ୍ରପାନ’କୁ ସ୍ବାସ୍ଥ୍ୟର ଦୃଷ୍ଟି ସମସ୍ୟା ପାଇଁ ଉତ୍ତମ ଔଷଧ ବୋଲି କହୁଥିଲେ । ’ଶିବାଙ୍ଗୁ’ ଅର୍ଥାତ ସ୍ବ-ମୂତ୍ରପାନ ସମ୍ବନ୍ଧରେ ସେ ସାର୍ବାଜନିକ ଭାବେ ସ୍ବୀକାର କରିଥିଲେ । ଭୋଜନରେ ଅଳ୍ପ କ୍ଷୀର, ମୌସୁମୀ ଫଳର ରସ ଓ ଡ୍ରାଏ ଫ୍ରୁଟସ ନେଉଥିଲେ । ସ୍ବ-ମୂତ୍ରପାନ ତାଙ୍କର ଦୀର୍ଘ ଜୀବନର ରହସ୍ୟ ଓ ସେ ଏହାକୁ କ୍ରମାଗତ ଭାବେ କରିଥାନ୍ତି ବୋଲି ଏକ ସାକ୍ଷାତକାରରେ ମୋରାରଜୀ କହିଥିଲେ । ରାତିରେ ଅନିଦ୍ରା ରହିବାକୁ ମୋରାରଜୀ ପସନ୍ଦ କରୁନଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଏହି ପ୍ରକ୍ରିୟା ଜାରି ରଖିଥିଲେ । ସେ ୧୦୦ ବର୍ଷ ବଞ୍ଚିବାକୁ ଚାହୁଁଥିଲେ, ମାତ୍ର ୯୯ ବର୍ଷ ଓ କିଛି ମାସ ହେବା ପରେ ୧୯୯୫ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏକମାତ୍ର ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋରାରଜୀଙ୍କୁ ଭାରତ ସରକାରଙ୍କ ତରଫରୁ ’ଭାରତ ରତ୍ନ’ ତଥା ପାକିସ୍ତାନ ତରଫରୁ ’ତହରୀକ-ଏ-ପାକିସ୍ତାନ’ର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରାପ୍ତ ହୋଇଥିଲା ।
ମୋରାରଜୀଙ୍କୁ ଜଣେ ସଚ୍ଚୋଟ ନେତା ବୋଲି କୁହାଯାଉଥିଲା, ମାତ୍ର ତାଙ୍କର ପୁତ୍ର ତଥା ଉଦ୍ୟୋଗପତି କାନ୍ତି ଦେସାଈଙ୍କ ଉପରେ ଜରୁରୀ ଫାଇଦା ନେବାର ଅଭିଯୋଗ ଆସିଥିଲା । ପିତା ପ୍ରଧାନମନ୍ତ୍ରୀ ହେବା ପରେ କାନ୍ତି ପିଏମ ହାଉସରେ ରହି ଅନେକ ଡିଲ କରିଥିବା କୁହାଯାଇଥିଲା । ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଖୋଲାଖୋଲି ଭାବେ ଏପରି ଅଭିଯୋଗ ଲଗାଇଥିଲେ । ବିଭିନ୍ନ ସାମଗ୍ରୀର ଦର କମିଯାଇଥିବାରୁ ୩୦ ମାସର ଜନତା ସରକାର ଲୋକଙ୍କ ମଧ୍ୟରେ ଏକ ଅନ୍ତର ସୃଷ୍ଟି କରିଥିଲା । ଲୋକଙ୍କୁ ଗଣତାନ୍ତ୍ରିକ ଅଧିକାର ମିଳିଥିଲା, ସମ୍ପତ୍ତିର ମୌଳିକ ଅଧିକାରକୁ ସମ୍ବିଧାନରୁ ହଟାଇ ଦିଆଯାଇଥିଲା । ତାଙ୍କୁ ଆତ୍ମନିରୀକ୍ଷଣର ସୁଯୋଗ ଦେଇ ଥିବାରୁ ସେ ଇନ୍ଦିରାଙ୍କ ପ୍ରତି କୃତଜ୍ଞ ବୋଲି ନିଜର ଆତ୍ମଜୀବନୀରେ ଶ୍ରୀମତୀ ଗାନ୍ଧୀଙ୍କ ପ୍ରତି ମୋରାରଜୀ ସମ୍ମାନ ବ୍ୟକ୍ତ କରିଥିଲେ ।