ସାମଗ୍ରୀ ଦେବାକୁ କଲେ ବିଳମ୍ବ; ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ

ଗଞ୍ଜାମ : ସାମଗ୍ରୀ ଦେବାରେ ବିଳମ୍ୱ କରିବାରୁ ଦୋକାନୀଙ୍କ ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ ଗ୍ରାହକ । ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଲେ । ଏଭଳି କାଣ୍ଡ ଭିଆଇ ବନ୍ଧା ହେଲେ ଗଞ୍ଜାମ ପାଟପୁର ଅଞ୍ଚଳର ୩ ଯୁବକ । କିଛି ମଦ୍ୟପ ଯୁବକ ପଳାସପୁର ଛକରେ ଥିବା ବ୍ୟବସାୟୀ ବରୁଣ ପାଢ଼ୀଙ୍କ ଦୋକାନକୁ ଆସି କିଛି ସାମଗ୍ରୀ ମାଗିଥିଲେ । ହେଲେ ବ୍ୟବସାୟୀ ଜଣକ ଜିନିଷ ଦେବାରେ ବିଳମ୍ବ କରିବାରୁ ମଦ୍ୟପ ଯୁବକମାନେ ମିଶି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବ୍ୟବସାୟୀଙ୍କ ଡାହାଣ ହାତର ଅଙ୍ଗୁଠିକୁ କାମୁଡି ଜଣେ ଯୁବକ ଛିଡ଼ାଇ ଦେଇଛି ।

ବ୍ୟବସାୟୀଙ୍କୁ ପରିବାର ଲୋକେ ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଅଙ୍ଗୁଳି ଆଉ ଲାଗି ପାରିବ ନାହିଁ କହି ଚିକିତ୍ସା କରି ଛାଡିଥିଲେ । ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା।