କାହିଁକି ସ୍ମାର୍ଟ ମିଟର ଲଗାଇବାକୁ କରାଯାଉଛି ବାଧ୍ୟ ? ଓଡିଶା ସିଟିଜେନ୍ସ ଫୋରମର ତୀବ୍ର ବିରୋଧ

ଭୁବନେଶ୍ବର : କାହିଁକି ସ୍ମାର୍ଟ ମିଟର ଲଗାଇବାକୁ କରାଯାଉଛି ବାଧ୍ୟ ? ଓଡିଶା ସିଟିଜେନସ ଫୋରମର ତୀବ୍ର ବିରୋଧ । ଲୋକଙ୍କୁ ଭୋକୁଆ ବନାଇବାକୁ ସ୍ମାର୍ଟ ଷଡ଼ଯନ୍ତ୍ର ଅଭିଯୋଗ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ଲେଖାଯାଇଥିବା ଏହି ମେସେଜକୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ପଠାଯାଇଛି । ଓଇଆରସିର ନିୟମାବଳି ଅନୁଯାୟୀ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସେପଟେ କିନ୍ତୁ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ ବୋଲି କହୁଛନ୍ତି ଆୟୋଗ। ଯଦି ଆୟୋଗଙ୍କ କହିବା ଅନୁଯାୟୀ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ ତାହେଲେ କେଉଁ ଆଧାରରେ ଟିପିସିଓଡିଏଲ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ମେସେଜ ଦେଉଛି ? ଏହି ନିଷ୍ପତ୍ତି ସମ୍ପୁର୍ଣ୍ଣ ଭୁଲ। ବିଦ୍ୟୁତ ଶୁଳ୍କ ବଢାଇବା ଯୋଜନା ସହ ସ୍ମାର୍ଟ ମିଟର ବାଧ୍ୟତା ଲୋକଙ୍କୁ ପ୍ରତାରଣା । ଆଗରୁ ତ ମିଟର ଲାଗିଛି ଏବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ ଉଠିଛି । ଏହି ଆର୍ଥିକ ବୋଝ କିଏ ସହିବ ବୋଲି ପ୍ରଶ୍ନ କରିଛି ସିଟିଜେନସ ଫୋରମ। ତୁରନ୍ତ ଏହି ନିଷ୍ପତ୍ତିରୁ କ୍ଷାନ୍ତ ନ ରହିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାଇ ଦିଆଯାଇଛି। ବିଦ୍ୟୁତ ଉପଭୋକ୍ତାଙ୍କ କହିବା କଥା, ରାଜ୍ୟରେ ଏବେ ଗଣତନ୍ତ୍ର ନୁହଁ ରାଜତନ୍ତ୍ରର ଶାସନ ଚାଲିଛି ।
ଗୋଟିଏ ପଟେ ବିଦ୍ୟୁତ ଦର ବଢାଇବା ପାଇଁ ଓଇଆରସିଙ୍କ ନିକଟରେ ବିଦ୍ୟୁତ ଉତ୍ପାଦକ ଓ ବଣ୍ଟନକାରୀ କମ୍ପାନୀ ଗୁଡିକ ଦାବି କରିଥିବା ବେଳେ ଏବେ ସ୍ମାର୍ଟ ମିଟର ପ୍ରସଙ୍ଗକୁ ତୀବ୍ର ବିରୋଧ ହୋଇଛି । ଭଲ ମିଟର ଥାଉ ଥାଉ ସ୍ମାର୍ଟ ମିଟର ଲାଗି ପାରିବ ନାହିଁ ବୋଲି ଆୟୋଗଙ୍କ ନିକଟରେ ଖୋଲାଖୋଲି ଶୁଣାଇ ଦେଇଛି ରାଜ୍ୟ ଉପଭୋକ୍ତା ମହାସଂଘ। ସେପଟେ ମିଟର ଭଲ ଥିଲେ ଓ କାର୍ଯ୍ୟକ୍ଷମ ଥିଲେ ପରିବର୍ତ୍ତନ କରାଯାଇପାରିବନି କିମ୍ବା ସେମିତି ନିର୍ଦେଶ ଦିଆଯାଇ ନାହିଁ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଏ ନେଇ ଅଥରିଟିଙ୍କ ନିକଟରେ ଅଭିଯୋଗ କରିହେବ ବୋଲି କୁହାଯାଇଛି। ପୂର୍ବରୁ ସ୍ମାର୍ଟ ମିଟରକୁ ରାଜ୍ୟରେ ବିରୋଧ ହେବା ପରେ କମ୍ପାନୀ ଏହାକୁ କିଛି ଦିନ ସ୍ଥଗିତ ରଖିବା ପରେ ଏବେ ଉପଭୋକ୍ତାଙ୍କୁ ମେସେଜ କରି ବାଧ୍ୟତାମୂଳକ କହିବା ନିଆଁ ଉପରେ ଘିଅ ଢାଳିବା ସଦୃଶ । ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ କଥାକୁ ବିଦ୍ୟୁତ ବିତରକ କମ୍ପାନୀ ଟିପିସିଓଡିଏଲର ଖୋଲାଖୋଲି ଅବମାନନା କରୁଥିବାରୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।