ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ ବ୍ୟବସ୍ଥା, ଜଣେ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ ବ୍ୟବସ୍ଥା । ଦାୟିତ୍ବ ସମ୍ଭାଳିବାକୁ ନାହାନ୍ତି ଅଧିକାରୀ । ଜଣଏ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ଵ । ବିକାଶ ନାଁରେ ବାହାଦୂରୀ ମାରୁଛନ୍ତି ରାଜ୍ଯ ସରକାର । ଅନେକ ବ୍ଲକରେ ସ୍ଥାୟୀ ବିଡିଓ, ତହସିଲଦାର ନଥିବାବେଳେ ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ପଦ ବି ଖାଲି । ଜିଲ୍ଲାକୁ ୩ଟି ଉପଖଣ୍ଡ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ରେ ବିଭକ୍ତ କରାଯାଇଛି । ୨୨ଟି ବ୍ଲକ୍ ଥିବା ବେଳେ ୫୦୩ ଟି ଗ୍ରାମ ପଞ୍ଚାୟତ ରହିଛି । ସେହିଭଳି ୧୬ଟି ଏନ୍ଏସି, ଗୋଟିଏ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ଅଛି । ଗ୍ରାମାଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ପ୍ରତ୍ୟେକ ବ୍ଲକ୍ରେ ଜଣେ ଲେଖାଏଁ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସହରାଞ୍ଚଳ ପାଇଁ ଏନ୍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି । କିନ୍ତୁ ଆସିକା, ଚିକିଟି, ଛତ୍ରପୁର, ବେଗୁନିଆପଡ଼ା, ଭଞ୍ଜନଗର, ଶେରଗଡ଼, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ଲକରେ ସ୍ଥାୟୀ ବିଡିଓ ନାହାନ୍ତି ।
ଆସିକା ବ୍ଲକରେ ଦୀର୍ଘ ୬ମାସ ହେଲା ବିଡିଓ ପଦବି ଖାଲି ରହିଥିବା ବେଳେ ଆଉ କେତେକ ବ୍ଲକ୍ ପାଇଁ ନୂତନ ପୋଷ୍ଟିଂ ହୋଇଥିଲେ ସୁଦ୍ଧା ଅଧିକାରୀ ଯୋଗ ଦେଇ ନାହାନ୍ତି । ପୁଣି କେତେକ ବ୍ଲକ୍ର ବିଡିଓ ଟ୍ରେନିଂ ପାଇଁ ଯାଇଥିବା ବେଳେ ଅନ୍ୟ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ଆସିକା ବ୍ଲକ୍ ବିଡିଓ ଦାୟିତ୍ବରେ କବିସୂର୍ଯ୍ୟନଗର ବିଡିଓ, ଚିକିଟି ତହସିଲଦାର ଉଭୟ ଚିକିଟି ଓ ପାତ୍ରପୁର ବ୍ଲକ୍ ବିଡିଓ ଦାୟିତ୍ଵରେ ଅଛନ୍ତି । ସେହିପରି ଛତ୍ରପୁର ବିଡିଓ ଟ୍ରେନିଂରେ ଯାଇଥିବା ବେଳେ ଗଞ୍ଜାମ ବିଡିଓ ଦାୟିତ୍ଵରେ ଅଛନ୍ତି । ବେଗୁନିଆପଡ଼ା ବ୍ଲକ୍ ଦାୟିତ୍ଵରେ କୋଦଳା ତହସିଲଦାର ଅଛନ୍ତି । ତେବେ ଏହି ସବୁ ବ୍ଲକରେ ଭାରପ୍ରାପ୍ତ ଦାୟିତ୍ବରେ ପ୍ରଶାସନିକ କାମ ଚାଲିଛି । ଫଳରେ ଗ୍ରାମାଞ୍ଚଳ ବାସୀଙ୍କ କାମ ଠିକ ସମୟରେ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି।