ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଦାୟିତ୍ଵରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ

ନନ୍ଦିଘୋଷ ବ୍ୟୁରୋ : ବହୁଜନ ସମାଜ ପାର୍ଟିରେ ବଡ଼ ହଲଚଲ। ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଦାୟିତ୍ଵରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ। ଏହାସହ ସେ କହିଛନ୍ତି,  ଶେଷ ନିଶ୍ଵାସ ଥିବାଯାଏଁ ପାର୍ଟିରେ କେହି ତାଙ୍କର ଉତ୍ତରାଧିକାରୀ ରହିବେ ନାହିଁ। ଏହା ପୂର୍ବରୁ ପୁତୁରା ଆକାଶଙ୍କ ଶ୍ଵଶୁର ଅଶୋକ ସିଦ୍ଧାର୍ଥଙ୍କୁ ଗତ ମାସରେ ପାର୍ଟିରୁ ବହିଷ୍କୃତ କରିଥିଲେ ମାୟାବତୀ। ରାଜଧାନୀ ଲକ୍ଷ୍ନୌରେ ବସିଥିବା ଦଳର ବୈଠକ ପରେ ଏହି ଘୋଷଣା କରିଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ଦଳର ହିତ ଲାଗି ଆକାଶ ଆନନ୍ଦଙ୍କୁ ମସସ୍ତ ଦାୟିତ୍ଵରୁ ମୁକ୍ତ କରିଦିଆଯାଇଛି ବୋଲି କହିଥିଲେ ମାୟାବତୀ। ସିଦ୍ଧାର୍ଥଙ୍କୁ ଦଳୀୟ ବିରୋଧୀ ଗତିବିଧି ଅଭିଯୋଗରେ ଦଳରୁ ବହିଷ୍କୃତ କରାଯାଇଥିଲା। ଏହା ପୂର୍ବରୁ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷିତ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ବୟାନକୁ ନେଇ ତାଙ୍କୁ ଦେଇଥିବା ସମସ୍ତ ଦାୟିତ୍ଵ ଫେରାଇ ନେଇଛନ୍ତି ମାୟାବତୀ। ମାୟାବତୀଙ୍କ ସବୁଠାରୁ ଛୋଟ ଭାଇ ତଥା ବିଏସପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କୁ ଦଳର ସଂଯୋଜକ ଭାବେ ଦାୟିତ୍ଵ ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ରାମଜୀ ଗୌତମ ବର୍ତ୍ତମାନ ଜାତୀୟ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଲକ୍ଷ୍ନାୌରେ ବସିଥିବା ଏହି ବୈଠକରେ ମାୟାବତୀ ଦରବୃଦ୍ଧି, ଦାରିଦ୍ର୍ୟତା, ବେକାରୀ ଏବଂ ମହାକୁମ୍ଭରେ ଦଳାଚକଟା ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ ।