ପୁରୁଣା ଗାଡିକୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ଶନିବାରକୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ତାରିଖରୁ ଦିଲ୍ଲୀରେ ପେଟ୍ରୋଲ ପମ୍ପରେ ତେଲ ଭରିବା ଉପରେ ଲାଗିବ କଟକଣା । କେବଳ ପେଟ୍ରୋଲ ପମ୍ପ ନୁହେଁ ସିଏନଜି ଷ୍ଟେସନରେ ବି କଟକଣା ଲାଗିବ । ୧୫ ବର୍ଷରୁ ଅଧିକ ଗାଡିଙ୍କୁ ମାର୍ଚ୍ଚ ୩୧ ତାରିଖ ପରଠାରୁ ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନରୁ ତେଲ କି ଗ୍ୟାସ୍ ମିଳିବନି । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ନେଇ ଅଧିକାରୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ବୈଠକରେ ପୁରୁଣା ଗାଡି ଉପରେ ପ୍ରତିବନ୍ଧକ, ଆଣ୍ଟି ସ୍ମୋକ ଉପାୟ ଏବଂ ଇ-ଭେଇକିଲ ଚଳାଚଳ ଉପରେ ଆଲୋଚନା ହୋଇଥିଲା । ମନ୍ତ୍ରୀ କହିଛନ୍ତି, ଆମେ ପେଟ୍ରୋଲ ପମ୍ପରେ ମେସିନ ବସାଇବୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ଓ ଉକ୍ତ ଗାଡ଼ିକୁ ତେଲ ମିଳିବ ନାହିଁ ।

ମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟକୁ ସୂଚିତ କରିବ । ପୁରୁଣା ଗାଡିରେ ଇନ୍ଧନ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଯିବା ସହ ରାଜଧାନୀରେ ଉଚ୍ଚା ବିଲ୍ଡିଂ, ହୋଟେଲ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ବାୟୁ ପ୍ରଦୂଷଣ କମ କରିବା ପାଇଁ ଆଣ୍ଟି ସ୍ମୋକିଂ ଗନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଚଳାଚଳ କରୁଥିବା ୯୦ ପ୍ରତିଶତ ସିଏନଜି ବସକୁ ୨୦୨୫ ଡିସେମ୍ବର ସୁଦ୍ଧା ପର୍ଯ୍ୟାୟ କ୍ରମେ ହଟାଯିବା ସହ ସେ ସ୍ଥାନରେ ଇ-ବସ୍ ଚଳାଚଳ କରାଯିବ । ଏହାସହ ପୂର୍ବ ଆପ ସରକାରକୁ ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପୂର୍ବର ସରକାର ବାୟୁ ପ୍ରଦୂଷଣ କମ କରିବା ଉପରେ କୌଣସି କାମ କରିନାହାନ୍ତି । କେନ୍ଦ୍ର ସରକାର ଦେଉଥିବା ଅର୍ଥ ବି ଖର୍ଚ୍ଚ କରାଯାଇନି । ଦିଲ୍ଲୀରେ ମୁଖ୍ୟତଃ ପ୍ରଦୂଷଣ ଧୂଳି, ଗାଡି ଓ ନିର୍ମାଣରୁ ହୋଇଥାଏ । ପୂର୍ବ ସରକାର ଦିଲ୍ଲୀରେ ସ୍କ୍ରିଙ୍କଲର ବି ଲଗାଇ ନାହାନ୍ତି ।  ଆମେ ଏକ କମିଟି ଗଠନ କରୁଛୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ।