ମଣିପୁରରେ ୮ ତାରିଖରୁ ସମସ୍ତ ରାସ୍ତା ଖୋଲିବା ସହ ଅବାଧ ଯାତାୟାତ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ହିଂସା ଜର୍ଜରିତ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜ୍ୟପାଳଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ବୈଠକ । ନୂଆଦିଲ୍ଲୀରେ ବସିଥିବା ଏହି ବୈଠକରେ ଆସନ୍ତା ୮ରୁ ରାଜ୍ୟରେ ଅବାଧ ଚଳାଚଳ ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଶାହ । ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ହିଂସା ସମୟରେ ଲୁଟ ଅସ୍ତ୍ରଶସ୍ତ୍ର ଓ ଲୋକଙ୍କ ପାଖରେ ଥିବା ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ସୂଚନାଯୋଗ୍ୟ, ୨୦୨୩ରୁ ମଣିପୁରରେ ହିଂସା ଜାରି ରହିଛି । ଯେଉଁଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି ।