ବଡ଼ ବଜେଟ କାମ ଶୂନ, ଖର୍ଚ୍ଚ କରିବାରେ ଫେଲ ବଡ଼ ବିଭାଗ

1 min read

ଭୁବନେଶ୍ବର : ଖର୍ଚ୍ଚ ହେଉନି ବଜେଟ ଅର୍ଥ । ଖର୍ଚ୍ଚ କରିବାରେ ଫେଲ ମାରୁଛନ୍ତି ବଡ ବିଭାଗ । ରାଜ୍ଯରେ ବିକାଶ କାମ ସଂପୂର୍ଣ୍ଣ ଠପ । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ପ୍ରକଟ, ଘେରିଲେ ବିରୋଧୀ । ବଡ ବଜେଟ, ଖର୍ଚ୍ଚ ପାଇଁ ବାଟ ପାଉନାହାଁନ୍ତି । ବଡ ବଡ଼ ବିଭାଗ ଗୁଡିକରେ ବଜେଟ ଅର୍ଥ ଖର୍ଚ୍ଚ ଚିନ୍ତାଜନକ । ୮ ମାସର ବିଜେପି ସରକାର ବଜେଟ ପରେ ବଜେଟ ଆଣି ତାକୁ ଖର୍ଚ୍ଚ କରିବାରେ ଅସମର୍ଥ । ବାରମ୍ବାର ଏନେଇ ମୁଖ୍ୟ ବିରୋଧୀ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାପରେ ସରକାରଙ୍କ ଚେତା ପଶିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଅର୍ଥ କିପରି ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହେବ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୮୫ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ରାଜ୍ୟ ସରକାର ବଡ ବଡ ବଜେଟ ଆଣି ବାହାସ୍ଫୋଟ ମାରୁଛନ୍ତି । ହେଲେ ଏଯାଏ ୫୦ ପ୍ରତିଶତ ବଜେଟର ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ବିଶେଷ କରି ବିଭିନ୍ନ ବିଭାଗର ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କେତେ କଣ ଅର୍ଥ ଖର୍ଚ୍ଚ ହେଉଛି ତାହାର ହିସାବ ନିକାଶ ବିଧାନସଭାରେ କରାଯିବ ବୋଲି ବିଜେଡି କହିଛି ।

ବିଜେପି ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମେ ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଥିଲେ । ପରେ ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ ଆଣିଲେ । ଏହାରି ଭିତରେ ବିଜେପି  ସରକାରକୁ ୮ମାସ ପୂରିଛି । ୨୦୨୫-୨୬ ଆର୍ଥିକ ବର୍ଷର ୨ଲକ୍ଷ ୯୦ ହଜାର କୋଟିର ବଜେଟ କିପରି ଖର୍ଚ୍ଚ ହେବ ତାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଛି । ଯାହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ସହ ବୈଠକ କରି ଚିନ୍ତା ପ୍ରକଟ କରିବା ସହ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ହାତରେ ଆଉ ଗୋଟିଏ ମାସ ସମୟ ଥିବାରୁ ସରକାରଙ୍କୁ ଘାରିଛି ଖର୍ଥ ଖର୍ଚ୍ଚ ଚିନ୍ତା । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏଯାଏ ରାଜ୍ୟ ସରକାର ୫୦ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି । ଫଳରେ ରାଜ୍ୟରେ ବିକାଶକାମ ସଂପୂର୍ଣ୍ଣ ବନ୍ଦ ହୋଇଯାଛି । ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବଜେଟ ଅର୍ଥ କାହିଁକି ଖର୍ଚ୍ଚ ହୋଇପାରିନାହିଁ ସେ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି । ରାଜ୍ୟ ସରକାର ବଜେଟର ଆକାର ବୃଦ୍ଧି କରି ଅର୍ଥ ଖର୍ଚ୍ଚ ନକରିବା ଟେନସନରେ ରହିଛନ୍ତି । ଏପରି ସ୍ଥିତିରେ ରାଜ୍ୟର ବିକାଶ ରଥ କୁଆଡ଼କୁ ଯିବ ତାହାକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡ଼ାରେ ଟାଣିବା ସହ ଅର୍ଥ ସଠିକ ଭାବେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ।