କେଉଁ ଭୟରେ ଅଜଣା ଲୋକଙ୍କୁ ଦେଲେ ୧୪ ଲକ୍ଷ ଟଙ୍କା ?

ବ୍ରହ୍ମପୁର : କୁଳପତିଙ୍କୁ ବି ଛାଡ଼ିଲେନି ସାଇବର ଠକ । ଲକ୍ଷେ କି ଦୁଇଲକ୍ଷ ନୁହେଁ ଲୁଟିନେଲେ ୧୪ ଲକ୍ଷ ଟଙ୍କା । ନିଜକୁ ଇଡି ଅଧିକାରୀ କହି ଡିଜିଟାଲ ଆରେଷ୍ଟ କରି ଠକେଇ । ଗତ ୭ ଦିନ ପୂର୍ବରୁ ଦୁବୃର୍ତ୍ତ ତାଙ୍କ ବିରୋଧରେ ଇଡ଼ିରେ ମାମଲା ଥିବା ନେଇ ଜଣାଇଥିଲା । ଏହାସହ କାନାରା ବ୍ୟାଙ୍କରେ ଥିବା ଆକାଉଣ୍ଟରେ ବେଆଇନ ଭାବେ କୋଟି କୋଟି ଟଙ୍କା ଜମା ହୋଇଥିବା କହିଥିଲା । ମାମଲାର ରଫାଦଫା ପାଇଁ ମାଗିଥିଲା ୧୪ ଲକ୍ଷ ଟଙ୍କା । ଦୁବୃର୍ତ୍ତଙ୍କ ଆକାଉଣ୍ଟକୁ ୧୪ ଲକ୍ଷ ଟଙ୍କା ପଠାଇବା ପରେ  ସାଇବର ଅପରାଧର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ ବ୍ରହ୍ମପୁର ବିଶ୍ବବିଦ୍ଯାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ଏହାପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଘଟଣାକୁ ଆଶ୍ଚର୍ଯ୍ଯଜନକ କହିବା ସହ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର । କୌଣସି କାରଣକୁ ନେଇ କୁଳପତି ଦୁବୃର୍ତ୍ତଙ୍କୁ ଟଙ୍କା ଦେଇଥାଇପାରନ୍ତି । ଯଦି କୁଳପତି ଏଭଳି ଅଭିଯୋଗ କରୁଛନ୍ତି ତେବେ ତାହାର ପ୍ରମାଣ ମଧ୍ୟ ଦେଖାଇବାର ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଜଣେ କୁଳପତି କେଉଁ ଭୟରେ ଅଜଣା ଲୋକଙ୍କୁ ୧୪ ଲକ୍ଷ ଟଙ୍କା ଦେଲେ ? କେଉଁ ବିଷୟକୁ ନେଇ ତାଙ୍କୁ ଭୟଭୀତ କରିଥିଲେ ସାଇବର ଲୁଟେରା ? ସମ୍ପୃକ୍ତ ବିଷୟରେ କୁଳପତିଙ୍କ ଭୂମିକା କଣ ରହିଛି ? ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ ।

କୁଳପତିଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସମୟରେ ଏଭଳି ଡ଼ିଜିଟାଲ ଆରେଷ୍ଟ କରି ସାଇବର ଠକ ମାନେ ଲୋକଙ୍କ ଡ଼ରାଇ ଟଙ୍କା ଲୁଟି ନେଉଛନ୍ତି । କିନ୍ତୁ ଡ଼ିଜିଟାଲ ଆରେଷ୍ଟ ବୋଲି କିଛିନାହିଁ । ଅପରାଧିକ କାର୍ଯ୍ୟ ଥିଲେ ଅଭିଯୁକ୍ତଙ୍କୁ ଡ଼ିଜିଟାଲ ମାଧ୍ୟମରେ ନୁହେଁ ବରଂ ଫିଜିକାଲ ଆରେଷ୍ଟ କରାଯାଇଥାଏ । ତେଣୁ ଏଭଳି ଅଜଣା ନମ୍ବରରୁ କଲ୍ ଆସିଲେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ କି କଥା ହୁଅନ୍ତୁ ନାହିଁ । ବରଂ ୧୯୩୦ ଅଥବା ୧୧୨କୁ କଲ କରି ନିଜର ଅଭିଯୋଗ ଜଣାନ୍ତୁ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । କୁଳପତି ଠକାମୀର ଠିକ ଦୁଇଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ସଚେତନତାର ବାର୍ତ୍ତା ଜାରି କରିଥିଲେ ଏସପି । କେହି ଏପରି ଠକାମୀର ଶିକାର ହେଉଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଥିଲେ ।