ରୂପେଲୀ ଜଗତ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି ସୁପରଷ୍ଟାର ଉତ୍ତମ

ଭୁବନେଶ୍ବର : ଓଲିଓଡ଼ ତାରକା ଅସ୍ତମିତ । ଓଡ଼ିଆ ସିନେମା ଜଗତରେ ଅପୂରଣୀୟ କ୍ଷତି । ଅୟୁତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଗଲେ କିମ୍ବଦନ୍ତୀ ତାରକା ଉତ୍ତମ ମହାନ୍ତି । ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦଣ୍ଡାବାଳୁଙ୍ଗା ଫେମ୍ ଉତ୍ତମ । ତାଙ୍କୁ ପ୍ରଥମେ ଭୁବନେଶ୍ବର ଓ ପରେ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଦେହାବସାନ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ ସୁପରଷ୍ଟାର।
୧୯୭୭ରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ । ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ସେ ଆଗକୁ ବଢ଼ିଥିଲେ। ସମୁଦାୟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରି ବିରଳ ଭିତ୍ତି ପ୍ରତିଷ୍ଠା କରିଥିଲେ ଅଭିନେତା । କଳ୍କୀ ଅବତାର, ରୁପା ଗାଁର ସୁନାକନିଆଁ, ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ ଆଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଉତ୍ତମ । ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ସିନେମାରେ ଅଭିନୟ କରି ନିଜର ପ୍ରତିଭା ପ୍ରଦର୍ଶନରେ ସଫଳ ହୋଇଥିଲେ ଉତ୍ତମ ।
ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ୨୩ ଡିସେମ୍ବର ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ । ପତ୍ନୀ ତଥା ଅଭିନେତ୍ରୀ ଅପରାଜିତା ଓ ପୁତ୍ର ବାବୁସାନ ବି ଅଭିନୟ ଜଗତରେ ହାସଲ କରିଛନ୍ତି ଖ୍ୟାତି । ଜୀବନବ୍ୟାପୀ ସିନେ ଜଗତ ସହ ଜଡ଼ିତ ରହିବା ସହ ନିଜର ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଉତ୍ତମ । ଜୀବନ କାଳରେ ସେ ହାସଲ କରିଥିଲେ ଅନେକ ସମ୍ମାନ । ୧୯୯୯ରେ ତାଙ୍କୁ ମିଳିଥିଲା ଜୟଦେବ ପୁରସ୍କାର । ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଫିଟଫାଟ ବାଇସ୍କୋପ ପକ୍ଷରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଆଦି ସମ୍ମାନ ଲାଭ କରିଥିଲେ । ତୋ ବିନୁ ଅନ୍ୟଗତି ନାହିଁ ସିନେମା ପାଇଁ ୧୯୯୧ରେ ଶ୍ରେଷ୍ଠ ସହଅଭିନେତା ସହ ଲଗାତର ତିନି ବର୍ଷ ଧରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ, ୧୯୮୩ରେ ଝିଅଟି ସୀତା ପରି ପାଇଁ ଓ ୧୯୮୨ରେ ଫୁଲ ଚନ୍ଦନ ପାଇଁ ଶ୍ରେଷ୍ଠ ଅଭିନେତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତରେ ଖେଳିଯାଇଛି ଶୋକ । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।