ଡାକିଲାଣି ଫାଶୀ ଖୁଣ୍ଟ: ପାଟି ଖୋଲିଲେ ପଡ଼ିଯିବ ପୂର୍ଣ୍ଣଛେଦ

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀ ନିଶ୍ଚିତ । ଏଣୁ ଜେଲ୍‌ ନିୟମାବଳୀ ଅନୁଯାୟୀ ଫାଶୀ ଦେବା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ଭୟାର ମା’ ଦୋଷୀଙ୍କୁ ଯେତେ ଶୀଘ୍ର ସମ୍ଭବ ଫାଶୀ ଦିଆଯାଉ ଚାହୁଁଥିବାବେଳେ ଆଉ କିଛି ଦୋଷୀଙ୍କୁ ଫାଶୀ ବଦଳରେ ଆଜୀବନ କାରଦଣ୍ଡ ନେଇ ମଧ୍ୟ କହୁଛନ୍ତି ।

          ଫାଶୀ ଦିନ ପାଖେଇ ଆସୁଥିବା ବେଳେ ନିର୍ଭୟାର ଦୋଷୀମାନେ ଏବେ ଚୁପ୍ ହୋଇବସିଛନ୍ତି । ଏଭଳି କି ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କ ଶେଷଇଚ୍ଛା ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ସେମାନେ ରଖି ନାହାନ୍ତି  ।

          ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାନ୍ୟବର କୋର୍ଟଙ୍କ ପକ୍ଷରୁ ଡେଥ୍ ଓ୍ୱାରେଣ୍ଟ ଜାରି ହେବା ପରେ ଫାଶୀ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତଦ୍‌ନୁଯାୟୀ ଚାରି ଜଣ କଏଦୀଙ୍କୁ ତିହାରି ଜେଲ ପ୍ରଶାସନ ପକ୍ଷରୁ ଶେଷଇଚ୍ଛା ନେଇ ପଚରାଯାଇଛି । ହେଲେ ଏ ନେଇ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯିବା ପୂର୍ବରୁ ମଧ୍ୟ ସେମାନେ କାହାକୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା । ତାଙ୍କ ନାମ, ଠିକଣା ଓ ଯୋଗାଯୋ ନମ୍ୱର ଯଦି କିଛି ଅଛି ତାକୁ ଲିଖିତ ଭାବେ ଜେଲ୍‌ ପ୍ରଶାସନକୁ ସୂଚିତ କରିବାକୁ କୁହାଯାଇଛି । ଯାହାଦ୍ୱାରା ସମୟ ଥାଉ ଶେଷ ଥର ପାଇଁ ସାକ୍ଷାତ କରାଇପାରିବେ ।

ସେମାନେ ଯଦି ସେମାନଙ୍କ ସ୍ଥାବର କିମ୍ୱା ଅସ୍ଥାବର ସମ୍ପତ୍ତି କାହା ନାମରେ କରିବାକୁ ଚାହୁଁଛନ୍ତି ଯଦି ସେ ସମ୍ପର୍କିତ ତଥ୍ୟ ଜେଲ୍‌ ପ୍ରଶାସନକୁ ପ୍ରଦାନ କରିବାକୁ କୁହାଯାଇଛି । ଏ ଯାଏଁ ୪ ଜଣଙ୍କ ମଧ୍ୟରୁ କେହିଁ ବି କୌଣସି ଉତ୍ତର ରଖିନାହାନ୍ତି । ଫାଶୀ ପୂର୍ବ ଦିନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ସମୟ ରହିଛି । ଯଦି ଏହା ଭିତରେ ସେମାନେ କିଛି ନକୁହନ୍ତି ତେବେ ଜେଲ୍‌ କର୍ତ୍ତୃପକ୍ଷ ମାନି ନେବ ଯେ ସେମାନେ କିଛି କହିବା କିମ୍ୱା ଶୁଣିବାକୁ ଚାହୁଁନାହାନ୍ତି ।

Leave a Reply