ଓଡ଼ିଆ ଫିଲ୍ମ ଜଗତରେ ଚାଲିଥିଲା ଉତ୍ତମଙ୍କ ରାଜ୍ ,ମୁରବୀ ଶୂନ୍ୟ ହୋଇଗଲା ଓଲିଉଡ୍ ଇଣ୍ଡଷ୍ଟ୍ରୀ

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଶି ଓ ନବେ ଦଶକରେ ଓଡ଼ିଆ ଫିଲ୍ମ ଜଗତରେ ଚାଲିଥିଲା ଉତ୍ତମ ମହାନ୍ତିଙ୍କ ରାଜୁତି। ସେତେବେଳେ ଯେଉଁ କେତେ ଜଣ ଓଡ଼ିଆ ଫିଲ୍ମ ଜଗତରେ ନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମୋହିତ କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଉତ୍ତମ ମହାନ୍ତି। ସତୁରି ଦଶକର ଶେଷ ଭାଗରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ଉତ୍ତମ ମହାନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଅଭିମାନ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୧୩୫ରୁ ଅଧିକ ଓଡ଼ିଆ ଫିଲ୍ମ, ୩୦ରୁ ଅଧିକ ବଙ୍ଗଳା ଫିଲ୍ମ ଓ ଗୋଟିଏ ହିନ୍ଦୀ ଫିଲ୍ମରେ ବି ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି। ହିନ୍ଦୀ ଫିଲ୍ମଟି ହେଲା ନୟା ଜହର।

ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ସେଠାରେ ସେ ଶିକ୍ଷା ସମାପ୍ତ କରିଥିଲେ। କଲେଜ ପଢ଼ିବା ସମୟରେ ହିଁ ଅଭିନୟ ପ୍ରତି ଆକୃଷ୍ଟ ହୋଇ ନାଟକ, ଡ୍ରାମାରେ ଅଭିନୟ କରୁଥିଲେ। ୧୯୭୭ ମସିହାରେ ସାଧୁ ମେହେରଙ୍କ ଅଭିମାନ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଉତ୍ତମ ମହାନ୍ତି। ତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଅଭିମାନ ପରେ ପରେ ଗୌରୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଅଫର୍ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ସେହି ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦ ଅଭିନୟ କରିଥିଲେ। କିନ୍ତୁ ତା ପରେ ଉତ୍ତମଙ୍କ ପଛରେ ଲାଗି ଯାଇଥିଲା ଓଡ଼ିଆ ଫିଲ୍ମ ଲମ୍ବା ଧାଡ଼ି।

୧୯୭୮ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପତିପତ୍ନୀ, ଶଙ୍ଖ ମହୁରି, ସରପଞ୍ଚ ଭଳି ଫିଲ୍ମରେ ଅଭିନୟ କରିଥିଲେ। ୧୯୭୯ ମସିହାରେ ଚିହ୍ନା ଅଚିହ୍ନା, ନିଝୁମ୍ ରାତିର ସାଥୀ ଭଳି ସୁପର୍ ହିଟ୍ ଫିଲ୍ମ ଭେଟି ଦେଇଥିଲେ ଉତ୍ତମ । ୧୯୮୦ ମସିହାରେ ରାମାୟଣ ଫିଲ୍ମ ବେଶ୍ ଆଦୃତି ଲାଭ କରିଥିଲା। ପରେ ପରେ ରାମ ବଳରାମ, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ ଭଳି ଫିଲ୍ମ ୧୯୮୧ ମସିହାର ବେଶ୍ ଚହଳ ସୃଷ୍ଟି କରିଥିଲା। ୧୯୮୨ ମସିହାରେ ଫୁଲଚନ୍ଦନ, ଅସ୍ତରାଗ, ଦେଖ୍ ଖବର୍ ରଖ ନଜର, ଜ୍ଵାଇଁ ପୁଅ, ୧୯୮୩ ମସିହାରେ ଅଭିଳାଷ, ଝିଅଟି ସୀତା ପରି, ରାମ ରହିମ୍ ହିଟ୍ ହୋଇଥିଲା। ୧୯୮୪ ମସିହାରେ ତାଙ୍କ ଅଭିନୀତ ଜାଇଫୁଲ, ଜନନୀ, ୧୯୮୫ ମସିହାରେ ଚକା ଭଉଁରି, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ସମୟ ବଡ଼ ବଳବାନ୍‌, ଶଙ୍ଖା ସିନ୍ଦୁର ଯେମିତି ଚହଳ ପକାଇଥିଲା, ୧୯୮୬ ମସିହାରେ ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍ ଯାର ମୁଲକ ତାର୍‌, ପକା କମ୍ଵଳ ପୋତ ଛତା ବେଶ ଆଦୃତ ହୋଇଥିଲା। ୧୯୮୭ ମସିହାରେ ସୁନା ଚଢ଼େଇ, ତୁଣ୍ଡ ବାଇଦ, ବଧୁ ନିରୁପମା, ଚକା ଆଖି ସବୁ ଦେଖୁଛି, ଏଇ ତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା। ୧୯୮୮ ମସିହାରେ ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ଯାଦାନ, ପାପ ପୁଣ୍ୟ, ପୁଅ ମୋର କଳା ଠାକୁର, ଚକା ଡୋଳା କରୁଛି ଲୀଳା ଦର୍ଶକଙ୍କ ମଧ୍ୟରେ ଆଦୃତ ହୋଇଥିଲା। ୧୯୮୯ ରେ ଦଇବ ଦଉଡ଼ି, ହସ ଲୁହ ଭରା ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ ଓ ଠାକୁରେ ଅଛନ୍ତି ଚଉବାହାକୁ ଉତ୍ତମ ମହାନ୍ତିଙ୍କ ଅଭିନୟର ଶ୍ରେଷ୍ଠ ସମୟ କରିଲେ ଭୁଲ ହେବ ନାହିଁ। ୧୯୯୦ ମସିହାରେ ମୁକ୍ତି ଲାଭ କରିଥିବା ଟୋପାଏ ସିନ୍ଦୁର ଦୁଇ ଟୋପା ଲୁହ, ଶାସ୍ତି, ଯା ଦେବୀ ସର୍ବ ଭୁତେଷୁ, ଗୋପ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁ ପାଣ୍ଡବ, ନୂଆ ଭାଉଜ ଓ ବିଧିର ବିଧାନ ଦର୍ଶକ ମହଲରେ ବେଶ ଚହଳ ପକାଇଥିଲା।

୧୯୯୧ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର ନୟା ଜହରରେ ଅଭିନୟ କରିଥିଲେ। ପରେ ପରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଚଳଚ୍ଚିତ୍ର ଆମ ଘର ଆମ ସଂସାର, ମୁକ୍ତି ତୀର୍ଥ, ବସ୍ତ୍ର ହରଣ, ଅକୁହା କଥା, କପାଳ ଲିଖନ, ତୋ ବିନୁ ଅନ୍ୟ ଗତି ନାହିଁ ପରି ଫିଲ୍ମ ଆସିଥିଲା। ଏମିତି ବର୍ଷ ପରେ ବର୍ଷ ବିତିଛି। ଉତ୍ତମ ମହାନ୍ତି ଭେଟି ଦେଇଛନ୍ତି ଫିଲ୍ମ ପରେ ଫିଲ୍ମ। ପାଖାପାଖି ୧୩୦ ଓଡ଼ିଆ ଫିଲ୍ମ, ୩୦ରୁ ଅଧିକ ବଙ୍ଗାଳି ଫିଲ୍ମ ଓ ଗୋଟିଏ ହିନ୍ଦୀ ଫିଲ୍ମ ତାଙ୍କ ଗୋଟିଏ ଗୋଟିଏ ଅମ୍ଳାନ କୃତୀ। ଅଶି ଓ ନବେ ଦଶକରେ ସେ ପାଲଟିଥିଲେ ଓଡ଼ିଆ ଫିଲ୍ମ ଜଗତର ଅପ୍ରତିନ୍ଦ୍ଵନ୍ଦ୍ଵୀ ରୋମାଣ୍ଟିକ୍ ହିରୋ। ସବୁ ପ୍ରକାର ଭୂମିକାରେ ସେ ନିଜ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।

ରୋମାଣ୍ଟିକ ହେଉ କି ଗାଁର ସରଳ ଯୁବକ ସବୁ ଭୂମିକାରେ ସେ ନିଖୁଣ ଅଭିନୟ କରିଛନ୍ତି। ଏଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ଉତ୍ତମ ମହାନ୍ତି। ନବେ ଦଶକର ଶେଷ ଆଡ଼କୁ ଓ ତା ପରେ ସେ ଚରିତ୍ର ଭୂମିକାରେ ଅଭିନୟ କରିଛନ୍ତି। ଉତ୍ତମ ମହାନ୍ତି ଅଭିନୟ କରିଥିବା କେତେକ ସିରିଏଲ୍ ହେଲା ଯେ ପକ୍ଷୀ ଉଡ଼େ ଯେତେ ଦୂର, ସାରା ଆକାଶ, ପଣତକାନି, ଉତ୍ତରଦାୟୀ ଇତ୍ୟାଦି। ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବାହା ହୋଇଥିଲେ। ଉଭୟଙ୍କ ପୁଅ ବାବୁସାନ୍ ବି ଏବେ ଓଲିଉଡ୍ ର ଆଗ ଧାଡ଼ିର ନେତା।