ଯୁକ୍ତଦୁଇ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଖାତା ଛଡ଼ାଇ ନେଲେ ଅଧ୍ୟାପକ

1 min read

କାମାକ୍ଷାନଗର: ଯୁକ୍ତଦୁଇ ପରୀକ୍ଷା ଦେଉଥିବା ଜଣେ ଦିବ୍ୟାଙ୍ଗଙ୍କ ଖାତା ଛଡ଼ାଇ ନେଲେ ଅଧ୍ୟାପକ । ଏମିତି ଅଭିଯୋଗ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପାଖରେ ହୋଇଛି । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଅଭିଭାବକ ଉପ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଅଧ୍ୟାପକ ଜଣଙ୍କ ତାଙ୍କ ଖାତା ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, କାମାକ୍ଷାନଗର ବ୍ଲକ କଦଳୀପାଳ ଗାଁର ବିନୋଦ ବିହାରୀ ମହାଭୋଇଙ୍କ ପୁଅ ଦିବ୍ୟରଞ୍ଜନ ମହାଭୋଇ ପଣ୍ଡୁଆ ସ୍ଥିତ ପାରିମାଳ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତଦୁଇ ଭୋକେସନାଲ ପରୀକ୍ଷା ଦେଉଛନ୍ତି l ଦିବ୍ୟରଞ୍ଜନ ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ଜଣେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଛନ୍ତି l ଗତ ୨୪ ତାରିଖରେ ଦିବ୍ୟରଞ୍ଜନ ନିଜ ସାହାଯ୍ୟକାରୀଙ୍କ ସହ ପାରିମାଳ ମହାବିଦ୍ୟାଳୟରେ ବିଜନେସ ମ୍ୟାନେଜମେଣ୍ଟ ବିଷୟରେ ପରୀକ୍ଷା ଦେଉଥିଲେ l ତାଙ୍କ ପାଇଁ ହୋଇଥିବା ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ପରୀକ୍ଷା ପରିଚାଳନା କରୁଥିବା ଅଧ୍ୟାପକ ନିର୍ମଳ କୁମାର ସାହୁ ଦିବ୍ୟରଞ୍ଜନଙ୍କ ସାହାଯ୍ୟକାରୀ ଭାବେ ଲେଖୁଥିବା ଜନୈକା ଛାତ୍ରୀଙ୍କଠାରୁ ଖାତା ଛଡ଼ାଇ ନେଇଥିଲେ ।

ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ପିଲା, ନିଜ ଭବିଷ୍ୟତ ପାଇଁ ସରକାରୀ ନିୟମ ଅନୁସାରେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଥିବା ବେଳେ କାହିଁକି ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କ ପରୀକ୍ଷା ଖାତା ଛଡ଼ାଇ ନିଆଗଲା । ତାହାର ପ୍ରତିବାଦରେ ଦିବ୍ୟରଞ୍ଜନଙ୍କ ବାପା ବିନୋଦ ବିହାରୀ ମହାଭୋଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଯଦି ପୁଅ ଭବିଷ୍ୟତରେ ପାସ ନକରି ଫେଲ ହୁଏ ତା’ହାଲେ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ଅଧ୍ୟାପକ ଦାୟୀ ରହିବେ ବୋଲି ସେ ଅଭିଯୋଗ କରିଛନ୍ତି l ତେବେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅନୁପସ୍ଥିରେ ସହକାରୀ ଜିଲ୍ଲାପାଳ ଦୀପକ ମିଶ୍ର ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି l