ପୁଣି ଗଞ୍ଜାମରେ ଡିଜିଟାଲ ଆରେଷ୍ଟ, ଠକିନେଲେ କୋଟିଏରୁ ଅଧିକ

ନନ୍ଦିଘୋଷ ବ୍ୟୁରୋ: ଡିଜିଟାଲ ଆରେଷ୍ଟ କହି ୧ କୋଟି ଟଙ୍କା ଠକେଇ। ଗଂଜାମର ଜଣେ ନୌସେନା ଅଧିକାରୀଙ୍କଠାରୁ ଏହି ଠକେଇ ହୋଇଛି। ସେ ହେଲେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ପୂର୍ବତନ ନୌସେନା ଅଧିକାରୀ । ଅଭିଯୋଗ ଅନୁସାରେ ଗତ ୧୩ ତାରିଖ ଦିନ ଏକ ଫୋନ କଲ ଆସିଥିଲା । ଜଣେ ଦୁବୃର୍ତ୍ତ ନିଜକୁ ଇଡି ଅଫିସର କହି ନୌସେନା ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗିଥିଲା। ସବୁ ତଥ୍ୟ ନୌସେନା ଅଧିକାରୀ ସମ୍ପୃକ୍ତ ଦୁବୃର୍ତ୍ତକୁ ଦେଇଥିଲେ। କିଛି ସମୟ ପରେ ୱାଟସଆପରେ ଦୁବୃର୍ତ୍ତ ଜଣକ ନୌସେନା ଅଧିକାରୀଙ୍କୁ ଫୋନ କରି ନିଜକୁ ଦିଲ୍ଲୀ ପୋଲିସର ପରିଚୟ ଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ ନାମ ଅଛି ଆପଣ ଦିଲ୍ଲୀ ପୋଲିସ ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ନୌସେନା ଅଧିକାରୀଙ୍କୁ କହିଥିଲେ ଦୁବୃର୍ତ୍ତ ଓ ୧ କୋଟି ୮ ଲକ୍ଷ ଟଙ୍କା ମାଗିଥିଲେ ଦୁବୃର୍ତ୍ତମାନେ ।
ଅନ୍ୟ କୌଣସି ଉପାୟ ନ ପାଇ ଦୁବୃର୍ତ୍ତକୁ ୧ କୋଟି ୮ ଲକ୍ଷ ଟଙ୍କା ଦେଇ ଦେଇଥିଲେ ନୌସେନା ଅଧିକାରୀ । ଇପିଏଫ ଓ ସେୟାର ମାର୍କେଟରେ ନିବେଶ କରିଥିବା ୧ କୋଟି ୮ ଲକ୍ଷ ଟଙ୍କା ଉଠାଇ ଦୁବୃର୍ତ୍ତଙ୍କୁ ଦେଇଥିଲେ। ପରେ ଠକେଇର ଶିକାର ହୋଇଥିବା ଜାଣି ସେ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।