ବଡ ପୁଅର ବ୍ୟାଙ୍କ ଋଣ, ବୃଦ୍ଧ ବାପା ମାଆଙ୍କ ପାଇଁ ପାଲଟିଲା ଅଭିଶାପ

ନନ୍ଦିଘୋଷ ବ୍ୟୁରୋ: ଋଣ କଲା ପୁଅ, ହେଲେ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ କରିବାକୁ ନୋଟିସ୍ କଲା । ଏ ନେଇ ଚିନ୍ତାରେ ବୃଦ୍ଧ ବାପା ମାଆ । ବାରମ୍ବାର ପୁଅକୁ ଋଣ ଶୁଝିବାକୁ ନେହୁରା ହେବା ପରେ ମଧ୍ୟ ନଶୁଣିବାରୁ ଚରମ ନିଷ୍ପତ୍ତି ନେଇଛନ୍ତି ବାପା ମାଆ । ବଞ୍ଚି ଥାଉଥାଉ ଘର ନିଲାମ କଷ୍ଟ ସହିନପାରି ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ।
ବଡ଼ ପୁଅ ଋଣ କରି ଶୁଝିଲାନି । ନିଜ କଷ୍ଟ ଉପାର୍ଜିତ ଅର୍ଥରେ କରିଥିବା ଘରେ ଶେଷ ସମୟ କାଟିବାକୁ ନିଷ୍ପତ୍ତି ନେଇଥିଲେ ବୃଦ୍ଧ ଦମ୍ପତ୍ତି । ହେଲେ ଋଣ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ ନୋଟିସ୍ ପଠାଇଲା । ହେଲେ ପୁଅ ଶୁଣିଲାନି,କି ଋଣ ଶୁଝିଲାନି । ଏବେ ଇଛାମୃତ୍ୟୁ ଆବେଦନ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ଏ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧୀନ ବଳପୁର ପଞ୍ଚାୟତ ବେହେରା ସାହିର ଦେବ ବେହେରା ଓ ତାଙ୍କ ପତ୍ନୀ ତାରାମଣୀ ବେହେରା । ବଡ଼ ପୁଅ ନିଜ ଆବଶ୍ୟକ ପାଇଁ କରିଥିବା ଋଣ କୁ ନ ଶୁଝିବାରୁ ବ୍ୟାଙ୍କ ଘରକୁ ନିଲାମ କରିବାକୁ ଗତବର୍ଷ ଠାରୁ ନୋଟିସ ପଠାଇଛି । ଯେଉଁ ଘରେ ଏମାନେ ରହୁଛନ୍ତି ସେହି ଘର ଉପରେ ରହିଛି ୪୨ ଲକ୍ଷ ଟଙ୍କାର ଋଣ ଭାର । ବଡ଼ ପୁଅ ଋଣ କରି ବାପାଙ୍କୁ ଗ୍ୟାରେଣ୍ଟର ପକାଇଥିଲା । ଶେଷରେ ଋଣ କୁ ନିଜେ ନ ସୁଝି ଥିବାରୁ ବାପାଙ୍କ ନା ରେ ଥିବା ଘର ଢିହକୁ ଏବେ ବ୍ୟାଙ୍କ ଦଖଲ କରିବାକୁ କହିଥିବା କହିଛନ୍ତି ବୃଦ୍ଧ ବାପା ।
ଯେଉଁ ଘର ଦେଖୁଛନ୍ତି ତାହା ଏବେ ନିଲାମ ହେବାକୁ ଯାଉଛି । ବୃଦ୍ଧ ପତି, ପତ୍ନୀ ଓ ସାନ ପୁଅ ରହୁଥିବା ଘର ଜାଗାକୁ ବନ୍ଧା ରଖି ବଡ଼ ପୁଅ ବ୍ୟାଙ୍କ ରୁ ୪୨ଲକ୍ଷ ଟଙ୍କା ଋଣ ଆଣିଥିଲା । ଏହା ସହ ପରିବାର ଚାଷ କରୁଥିବା ଜମିକୁ ମଧ୍ୟ ବଡ଼ ପୁଅ ଦଖଲ କରିନେଇଛି । ବଡ଼ ପୁଅ ଧଡୁ ବେହେରା ତାଙ୍କ ପରିବାର ସହିତ ଏବେ ବାହାରେ ରହୁଛନ୍ତି । ସେ କରିଥିବା ଋଣ ନଶୁଝିବାରୁ ଏବେ ସୁଧ ମୂଳ ମିଶି ଏବେ ୪୨ଲକ୍ଷ ଟଙ୍କା ହୋଇଛି ଆଉ ଯାହାକୁ ପରିଶୋଧ କରିବା ପାଇଁ ଘରକୁ ନିଲାମ କରିବାକୁ ବ୍ୟାଙ୍କ ନୋଟିସ ଦେଇଛି । ବୃଦ୍ଧ ବାପା ମାଆଙ୍କ ସହିତ ସାନ ପୁଅ ବୋହୁ ଓ ନାତୁଣୀ ରହୁଥିବା ଏହି ଘର ଏବେ ଖାଲିକରିବାକୁ ହେବ । ଘର ନିଲାମ ହେଲେ କେଉଁଠି ରହିବେ ସେ ନେଇ ଚିନ୍ତାରେ ପରିବାର। ଜୀବନର ଶେଷ ସମୟରେ ବୃଦ୍ଧ ବାପାମାଆଙ୍କୁ ପୁଅ ସହାୟତା କରିବା କଥା । ହେଲେ ନିଜେ କରିଥିବା ଋଣ ପାଇଁ ବାପାମାଆଙ୍କୁ ବଳି ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ପୁଅ ।