ବିତୁଛି ସମୟ ବଢୁଛି ଆଶଙ୍କା, ଟନେଲ ଭିତରୁ ଆସୁନି କୌଣସି ଶବ୍ଦ

ନନ୍ଦିଘୋଷ ବ୍ୟୁରୋ: ସମୟ ବିତିବା ସହିତ ବଢୁଛି ଆଶଙ୍କା । ତେଲେଙ୍ଗାନା ଶ୍ରୀସାଇଲମ୍ କେନାଲର ଟନେଲରେ ଫସିଥିବା ୮ ଜଣ ବଞ୍ଚିଥିବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଟନେଲ ଭିତରୁ କୌଣସି ସୋର୍ ଶବ୍ଦ ଆସୁନାହିଁ କିମ୍ଵା କିଛି ଜଣାପଡୁନାହିଁ। ତେଣୁ ଟନେଲ ଭିତରେ ଫସିଥିବା ଲୋକଙ୍କ ମୃତ୍ୟୁ ହୋଇଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ସତ୍ତ୍ଵେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସିଲକିୟାରା ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

୨୦୨୩ ଉତ୍ତରାଖଣ୍ଡର ଏକ ଟନେଲରେ ଏପରି କିଛି ଲୋକେ ଫସିଥିବା ବେଳେ ସେହି ଉଦ୍ଧାର କାର୍ଯ୍ୟରେ ଏହି ଟିମ୍ ନିୟୋଜିତ ହୋଇଥିଲା। ସେହି ଟିମ୍ ଶ୍ରୀସାଇଲମ୍ ଟନେଲ ଅପରେସନରେ ଲାଗିଛି। ରେଟ୍ ମାଇନର୍ ମଧ୍ୟ କାମରେ ଲାଗିଛନ୍ତି। ଏଣ୍ଡୋସ୍କୋପିକ୍ ଓ ରୋବୋଟିକ୍ କ୍ୟାମେରା ମଧ୍ୟ ଅଣାଯାଇଛି । ରେସ୍କ୍ୟେୁ ଅପରେସନରେ ସାମିଲ ହୋଇଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ଓ ଏସସିସିଏଲର ଟିମ୍ । ଟନେଲ ଭିତରକୁ ବିଦ୍ଯୁତ ଯୋଗାଣ କରାଯାଇଛି ।

ଅତ୍ୟାଧୁନିକ ମେସିନ ମଧ୍ୟ ଲଗାଯାଇଛି । ଭୁଶୁଡିଥିବା ସ୍ଥଳରୁ ୨୦୦ ମିଟର ଦୂରରେ ଶ୍ରମିକମାନେ ଥିବା ସୂଚନା ମିଳିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିଜେ ଘଟଣାର ତଦାରଖ କରୁଛନ୍ତି । ଦୁଇ ଦିନ ତଳେ ନିର୍ମାଣାଧୀନ ଟନେଲର ଛାତରୁ କଂଙ୍କ୍ରିଟ ଖସିବାରୁ ଭିତରେ ୮ ଜଣ ରହିଯାଇଛନ୍ତି । ନଗର କୁୁର୍ନଲ ଜିଲ୍ଲାର ଦୋମାଲାପେଣ୍ଟାରେ ଏହି ଅଘଟଣ ଘଟିଛି । ଟନେଲ ଭିତରକୁ କାମ କରିବା ଲାଗି ୫୦ ଶ୍ରମିକ ଯାଇଥିଲେ । ସାଢେ ୧୩ କିଲୋମିଟର ଦୂର ଯାଏ ସେମାନେ ଟନେଲ ଭିତରକୁ ଯାଇଥିଲେ । ୪୨ ଜଣ ପଦାକୁ ବାହାରିବାକୁ ସକ୍ଷମ ହୋଇଥିଲେ । ୮ ଜଣ ରହି ଯାଇଛନ୍ତି ।