USAID ପାଣ୍ଠିକୁ ବିବାଦ, ଚିନ୍ତା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: USAID ପାଣ୍ଠିକୁ ନେଇ ଆମେରିକାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିବାଦ । ଏହି ବିବାଦ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାଣ୍ଠି ସମ୍ପର୍କରେ ଅନେକ ଖୁଲାସା ହୋଇଛି । ରିପୋର୍ଟରେ ପାଣ୍ଠି ସହିତ ଜଡିତ ସମସ୍ତ ବିବରଣୀ ଦିଆଯାଇଛି, ଯେପରିକି USAID କେତେ ପାଣ୍ଠି ଯୋଗାଇଥିଲା ଏବଂ ସେହି ପାଣ୍ଠି କେଉଁଠି ବ୍ୟବହାର କରାଯାଇଥିଲା ଏବଂ କେମିତି ବ୍ୟବହାର ହୋଇଥିଲା ? ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ USAID ୨୦୨୩-୩୪ ଆର୍ଥିକ ବର୍ଷରେ ଭାରତରେ ୭ଟି ପ୍ରକଳ୍ପ ପାଇଁ୭୫୦ ନିୟୁତ ଡଲାର ବା ପ୍ରାୟ ୬୫ ବିଲିୟନ ପାଣ୍ଠି ଯୋଗାଇଛି କିନ୍ତୁ ଭୋଟ ପ୍ରତିଶତ ବୃଦ୍ଧି ପାଇଁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ ।

ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, USAID ପାଣ୍ଠି କୃଷି ଏବଂ ଖାଦ୍ୟ ସୁରକ୍ଷା, ଜଳ, ପରିମଳ ଏବଂ ସ୍ୱଚ୍ଛତା, ନବୀକରଣୀୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ପ୍ରକଳ୍ପ ପାଇଁ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ USAID ଜଙ୍ଗଲ ଏବଂ ଜଳବାୟୁ ସ୍ଥିରତା କାର୍ଯ୍ୟକ୍ରମ ଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ବାଣିଜ୍ୟକରଣୀ ଏବଂ ନବସୃଜନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ରିପୋର୍ଟରେ କୁହାଯାଇଛି ଯେ ଭାରତ ୧୯୫୧ ମସିହାରେ ଆମେରିକାରୁ ସାହାଯ୍ୟ ପାଇବା ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ, ଭାରତ ୫୫୫ଟି ପ୍ରକଳ୍ପ ପାଇଁ USAID ଠାରୁ ୧୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପାଇସାରିଛି ।

DOGEର ପ୍ରକାଶ ପରେ ବିବାଦ

ପ୍ରକୃତରେ ଚଳିତ ମାସର ପ୍ରାରମ୍ଭରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (DOGE) ପ୍ରକାଶ କରିଥିଲା ​​ଯେ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ୨୧ ନିୟୁତ ଡଲାରର ଅନୁଦାନ ଦେଇଛି । ଏଲନ ମସ୍କଙ୍କ ବିଭାଗ DOGE ଦ୍ୱାରା ଏହା ପ୍ରକାଶିତ ହେବା ପରେ ଭାରତ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୋଟିଏ ପରେ ଗୋଟିଏ ବୟାନ ଦେବା ଆରମ୍ଭ କରିଥିଲେ ଯାହା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଥିଲା । ସେ କହିଥିଲେ ଯେ ଆମେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଭାରତକୁ ୨୧ ନିୟୁତ ଡଲାର ସହାୟତା ଦେଉଛୁ କିନ୍ତୁ ଆମର ଲାଭ କ’ଣ ? ଆମକୁ ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତକୁ କୌଣସି ପାଣ୍ଠିର ଆବଶ୍ୟକତା ନାହିଁ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ତେବେ ନିର୍ବାଚନରେ ​​ସାହାଯ୍ୟ କରିବା ପାଇଁ ଆମେ କାହିଁକି ଭାରତକୁ ୨୧ ନିୟୁତ ଡଲାର ଦେବୁ ?

ଜୟଶଙ୍କର ଚିନ୍ତା ପ୍ରକାଶ କଲେ

ଏହି ମାମଲା ପ୍ରକାଶିତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର USAID ପାଣ୍ଠି ବିବାଦ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଦେଇଥିବା ସୂଚନା ଚିନ୍ତାଜନକ । ସରକାର ଏହାର ତଦନ୍ତ କରୁଛନ୍ତି । ଯଦି ଏପରି କିଛି ଅଛି ଦେଶ ଜାଣିବା ଉଚିତ ଯେ କିଏ ଏହି କାର୍ଯ୍ୟକଳାପରେ ଜଡିତ । ଗୁରୁବାର ଦିନ ମିଆମିରେ ଏକ କାର୍ଯ୍ୟକ୍ରମ ସମୟରେ, ଟ୍ରମ୍ପ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି ପାଇଁ USAIDର ୨୧ନିୟୁତ ଡଲାର ପାଣ୍ଠି ଉପରେ ପ୍ରଶ୍ନ ଉଠାଇଥିଲେ ।