ଅବ୍ୟବସ୍ଥା ଘେରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

1 min read

ବରଗଡ଼ : ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜିଲ୍ଲା ହପ୍ସିଟାଲରେ ହୋଇପାରୁନି ରକ୍ତ ପରୀକ୍ଷା । ରକ୍ତ ପରୀକ୍ଷା ସେବାରୁ ବଞ୍ଚିତ ରୋଗୀ । ବରଗଡ଼ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ ବିଭାଗର ଅବହେଳା ଜଳ ଜଳ ହୋଇ ଦିଶୁଛି । ସ୍ଵାସ୍ଥ୍ୟ ସେବା ପାଇଁ ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଦୈନିକ ୨ଶହରୁ ଅଧିକ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥାଏ ।    ବିରାଟ କୋଠାଘର ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ସାମାନ୍ୟ ରକ୍ତ ପରୀକ୍ଷା ସୁବିଧା ପାଇପାରୁନାହାନ୍ତି । ତେବେ ଆବଶ୍ୟକୀୟ ଉପକରଣ ଅଭାବରୁ ୧୫ ଦିନ ହେଲା ରକ୍ତ ପରୀକ୍ଷା ବନ୍ଦ ରହିଛି । ଆଲବୁମିନ, ପ୍ରୋଟିନ, ପୋଟାସିୟମ, ସୋଡିୟମ, ୟୁରିକ ଏସିଡ, ସିରାମ ୟୁରିଆ ଭଳି ସାଧାରଣ ଟେଷ୍ଟ ମଧ୍ୟ ହୋଇପାରୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ରୋଗୀ ଘରୋଇ ଉପଚାର କରି ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପଟେ ଖେଦାପାଲିରୁ ବରଗଡ଼ ଆସି ରକ୍ତ ପରୀକ୍ଷା କରାଇ ନେବା ପରେ ଡାକ୍ତର ରହୁନଥିବାରୁ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଅସରନ୍ତି ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ l କେତେବେଳେ ଅନ୍ଧାରି ଚିକିତ୍ସା ହେଉ ତ କେତେବେଳେ ଡାକ୍ତର ସମସ୍ୟା । କେତେବେଳେ ଔଷଧ ସମସ୍ୟା ତ ଆଉ କେତେ ବେଳେ ଦୀର୍ଘ ସମୟ ଧରି ଶବ ପଡ଼ିରହିବା ଭଳି ସମସ୍ୟା ସହିତ ଯୋଡ଼ିହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇପାରୁନାହିଁ ଏବେ ରକ୍ତ ପରୀକ୍ଷା l ୧୫ ଦିନ ହେଲା ରକ୍ତ ପରୀକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ସରିଯାଇଛି । ବାରମ୍ଵାର ଜଣାଇବା ପରେ ମଧ୍ୟ ଷ୍ଟୋର ଇନଚାର୍ଜ ସରଞ୍ଜାମ ଯୋଗାଇ ଦେଉନଥିବାରୁ ଟେଷ୍ଟ ହେଇପାରୁନଥିବା କହିଛନ୍ତି ହସ୍ପିଟାଲ କର୍ମଚାରୀ । ଏମିତି ଅନେକ ସମସ୍ୟାକୁ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶିଘ୍ର କେମିକାଲ ଉପଲବ୍ଧ କରାଯାଇ ରକ୍ତ ପରୀକ୍ଷା ସୁବିଧା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୁପମା ଷଡ଼ଙ୍ଗୀ । ବରଗଡ଼ ଜିଲ୍ଲାର ଲୋକେ ସ୍ଵାସ୍ଥ୍ୟ ସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ତେବେ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ଲାଗି ରହିଥିବା ସମସ୍ୟା ସ୍ଵାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି । ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।