ଏହି ସହରରେ ଏବେ ବୁଲା ବିଲେଇଙ୍କର ବନ୍ଧ୍ୟାକରଣ ହେବ: କ’ଣ ପାଇଁ ସରକାର ନେଲେ ଏହି ପଦକ୍ଷେପ

ମୁମ୍ବାଇ: ମହାରାଷ୍ଟ୍ରର ନାସିକ ସହରରେ ବୁଲା କୁକୁରଙ୍କ ପରେ ଏବେ ବିଲେଇଙ୍କ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ପରେ ନଗର ନିଗମର ପଶୁପାଳନ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି । ବୁଲା ବିଲେଇଙ୍କ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏହି ଅଭିଯାନ ପଛର ଉଦ୍ଦେଶ୍ୟ । ଏହାଦ୍ବାରା ସହରରେ ହେଉଥିବା ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କୁହାଯାଉଛି । ଏହି କାର୍ଯ୍ୟ ପାଇଁ ବଜେଟରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏପ୍ରିଲ ମାସରେ ଏକ ସଂସ୍ଥାକୁ ଏଥିପାଇଁ ନିଯୁକ୍ତି ଦିଆଯିବ । ଏହି ସଂସ୍ଥା ବିଲେଇମାନଙ୍କୁ ଧରି ସେମାନଙ୍କର ବନ୍ଧ୍ୟାକରଣ କରିବ । ବନ୍ଧ୍ୟାକରଣ ପାଇଁ ପ୍ରତି ବିଲେଇ ପିଛା ୧୬୫୦ ଟଙ୍କା ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦୬ଟି ବିଲେଇଙ୍କ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ ମାଧ୍ୟମରେ ବୁଲା ବିଲେଇଙ୍କ ସଂଖ୍ୟା ହ୍ରାସ ପାଇବ । ଫଳରେ ସହରରେ ଏହି ପଶୁଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ଯେପରିକି ରୋଗ ବ୍ୟାପିବା, ରାସ୍ତାରେ ଅନାବଶ୍ୟକ ଶବ୍ଦ ହେବା ଓ ଅନ୍ୟ ସମସ୍ୟାରୁ ମୁକ୍ତି ମିଳିବ ।
ସାଧାରଣ ଭାବେ କୁକୁରଙ୍କ ତୁଳନାରେ ବିଲେଇଙ୍କୁ ଧରିବା ଅଧିକ ମୁସ୍କିଲ ହୋଇଥାଏ । କାରଣ ବିଲେଇମାନେ ଅତ୍ୟନ୍ତ ଚଞ୍ଚଳ ଓ ସତର୍କ ହୋଇଥାନ୍ତି । ସେଥିପାଇଁ ଏକ ବିଶେଷଜ୍ଞ ସଂଗଠନକୁ ନିଯୁକ୍ତ କରଯିବ, ଯେ କି ଜାଲ ବିଛାଇ ବିଲେଇଙ୍କୁ ଧରିବ । ବିଲେଇମାନଙ୍କର ଯେପରି କୌଣସି କ୍ଷତି ନହେବ, ସେଥିପାଇଁ ଏହି ପ୍ରକ୍ରିୟା ଧୀରେଧୀରେ ଓ ସାବଧାନତାର ସହ କରାଯିବ । ବନ୍ଧ୍ୟାକରଣ ପରେ ବିଲେଇମାନଙ୍କୁ ପୂର୍ବ ସ୍ଥାନରେ ଛାଡ଼ି ଦିଆଯିବ । ଏହି ପଦକ୍ଷେପ କେବଳ ବିଲେଇଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ତା’ ନୁହେଁ, ବରଂ ସମାଜରେ ସନ୍ତୁଳତା ରଖିବାରେ ସହାୟକ ହେବ ଓ ଏହି ପଶୁଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ ହେବ ।