ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଭାରତ ଜିତି ପାରିବନି: ଭବିଷ୍ୟବାଣୀକୁ ନେଇ ଟ୍ରୋଲ ହେଲେ IIT ବାବା

1 min read

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବାଂଲାଦେଶ ବିପକ୍ଷରେ ବିଜୟରୁ ଭାରତ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ ଆସନ୍ତା ୨୩ ତାରିଖରେ ପାକିସ୍ତାନକୁ ଭେଟିବ । ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍  ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ବିବାଦଘେରକୁ ଚାଲିଆସିଛନ୍ତି ଚର୍ଚ୍ଚିତ IIT ବାବା । ଭାରତ-ପାକ୍ ମ୍ୟାଚର ଫଳାଫଳକୁ ନେଇ ବାବା ଏକ ଭବିଷ୍ୟତବାଣୀ କରିଛନ୍ତି । ଏହି ଭବିଷ୍ୟବାଣୀଙ୍କୁ ନେଇ ଏବେ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି ।

ଚାମ୍ପିୟନ୍ସ ଟ୍ରଫିରେ ଆସନ୍ତା ୨୩ରେ ହେବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାର ଫଳାଫଳକୁ ନେଇ IIT ବାବା ଅଭୟ ସିଂହ  ଭବିଷ୍ୟବାଣୀ କରିଛନ୍ତି । ଉକ୍ତ ଭବିଷ୍ୟବାଣୀକୁ ନେଇ ବାବା ଟ୍ରୋଲ ହୋଇଛନ୍ତି । ନିକଟରେ ପ୍ରୟାଗରାଜ ମହାକୁମ୍ଭରେ ଚର୍ଚ୍ଚା ଘେରରେ ରହିଥବା ଅଭୟ ସିଂହ ପୁଣି ଥରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି । ବାବାଙ୍କ ଭବିଷ୍ୟବାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏକ ୟୁଟ୍ୟୁବ ଚ୍ୟାନେଲରେ ଆଲୋଚନାରେ ଅଂଶଗ୍ରହଣ କରି ବାବା କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ହେବାକୁ ଥିବା ମହାମୁକାବିଲାରେ ଏଥର ପାକିସ୍ତାନ ଟିମ୍ ଜିତିବ । ଏହି ମ୍ୟାଚରେ ବିରାଟ କୋହଲି ଓ ଅନ୍ୟ ଖେଳାଳି ମାନେ ଜୀ-ଜାନ ଲଗାଇବେ, ମାତ୍ର ଭାରତ ଏହି ମ୍ୟାଚ ଜିତିପାରିବନି ବୋଲି ବାବା କହିଛନ୍ତି । ତେବେ ବାବାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ତାଙ୍କୁ ବହୁମାତ୍ରାରେ ଟ୍ରୋଲ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।