ଫାଶୀ ପୂର୍ବରୁ ଶେଷ ଚିଠି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଫାଶୀ ତାରିଖ। ଆଉ ମାତ୍ର ୭ଦିନ, ଫେବ୍ରୁଆରୀ ପହିଲା ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଏହାପୂର୍ବରୁ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଫାଶୀ ତାରିଖ ପାଖେଇଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ପକ୍ଷରୁ କୈାଣସି ଜବାବ ଆସିନି। ତେବେ ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି।

ତିହାର ଜେଲରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇସାରିଛି। ଏହାପରଠୁ ଫାଶୀ ସଂପର୍କିତ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜେଲ୍‌ ପ୍ରଶାସନ। ତିହାର ଜେଲ୍‌ର ହାଇସିକ୍ୟୁରିଟି ସେଲ୍‌ରେ ନିର୍ଭୟା ଦୋଷୀଙ୍କୁ ରଖାଯାଇଛି। ଜେଲ୍‌ ମାନୁଆଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ସେମାନଙ୍କ ସେଲ୍‌ ବଦଳାଯାଉଛି। ସୁରକ୍ଷାକର୍ମୀ ଓ ସିସିଟିଭି ନଜରରେ ରହିଛନ୍ତି ଦୋଷୀ। ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଜେଲ୍‌ ମାନୁଆଲ୍‌ ଅନୁସାରେ ଖାଦ୍ୟ ଦିଆଯାଉଛି। ୪ ଦୋଷୀ ବିନୟ ଶର୍ମା, ଅକ୍ଷୟ  ସିଂହ, ମୁକେଶ ସିଂହ ଓ ପବନ ଗୁପ୍ତାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଦିନ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ।

Leave a Reply