ମାନ୍ଦାବସ୍ଥା ଆଡ଼କୁ ଗଲାଣି ଦେଶ, ୧୭୧ ଲକ୍ଷ ୭୮ ହଜାର କୋଟିରେ ପହଞ୍ଚିଲାଣି ଋଣବୋଝ
1 min read
ନନ୍ଦିଘୋଷ ବ୍ୟୁରୋ: ଋଣରେ ବୁଡ଼ିଲାଣି ଦେଶ। ଏ କଥା ସଂସଦରେ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ୨୦୧୯-୨୦ରୁ ୨୦୨୩-୨୪ ଭିତରେ ଦେଶର ମୋଟ ଋଣ ପରିମାଣ ୧୭୧ ଲକ୍ଷ କୋଟି ବୋଲି କେନ୍ଦ୍ର ସରକାର ମାନିଛନ୍ତି । ବିଶେଷଜ୍ଞଙ୍କ କହିବା କଥା, ଋଣ କରିବାରେ ଅସୁବିଧା ନାହିଁ । କିନ୍ତୁ ଯଦି ଋଣ ପରିଶୋଧ ପରିମାଣ ବେଶୀ ହେବ, ତାହେଲେ ବିକାଶମୂଳକ କାମ ପାଇଁ ଅର୍ଥର ଅଭାବ ଦେଖାଦେବ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ମାସିକ ଋଣ ବାବଦ ସୁଧ ଗଣିବାରେ ଯାଉଛି ୧୦ ଲକ୍ଷ କୋଟିରୁ ଅଧିକ । ସ୍ଥିତି ଏମିତି ହେଲାଣି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧୀରେ ଧୀରେ ରାଜସ୍ବ ନିଅଣ୍ଟ ଆଡ଼କୁ ମୁହାଁଇଲେଣି ।
ଧୀରେ ଧୀରେ ମାନ୍ଦାବସ୍ଥା ଆଡ଼କୁ ଗଲାଣି ଦେଶ । ଋଣବୋଝ ବଢ଼ି ୧୭୧ ଲକ୍ଷ ୭୮ ହଜାର କୋଟିରେ ପହଞ୍ଚିଲାଣି । ସଂସଦରେ ଏଭଳି ତଥ୍ୟ ରଖିଛନ୍ତି ଖୋଦ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଏପଟେ କେନ୍ଦ୍ର ଋଣ ବାବଦରେ ମାସିକ ସୁଧ ଗଣୁଛି ୧୦ ଲକ୍ଷ ୬୪ ହଜାର କୋଟି । ଭିତ୍ତିଭୂମି ବିକାଶ ପାଇଁ ଋଣ କରିବା ଖରାପ ନୁହେଁ । କିନ୍ତୁ ପରିଶୋଧ ପରିମାଣ ଯଦି ଅଧିକ ହେବ, ତାହେଲେ ଏହା ଅର୍ଥନୀତି ପ୍ରତି ବିପଦ ଆଣିବ । ବିଶେଷଜ୍ଞଙ୍କ ଅଭିଯୋଗ, ସଂସଦରେ ତଥ୍ୟ ରଖିବା ବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨୦୨୪-୨୫ର ତଥ୍ୟ ରଖିନାହାନ୍ତି । ଚଳିତ ଆର୍ଥିକ ବର୍ଷକୁ ମିଶାଇଲେ ଏହି ଋଣ ପରିମାଣ ୨୦୦ ଲକ୍ଷ କୋଟି ଟପିବ । ଯାହାକି ଏଫ୍ଆର୍ବିଏମ୍ ଆଇନର ଉଲ୍ଲଂଘନ । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଋଣ ଏକ ଚତୁର୍ଥାଂଶ ଋଣ ଦ୍ବାରା ପାଣ୍ଠି ସଂଗ୍ରହ କରାଯିବ । ବିତ୍ତୀୟ ପରିଚାଳନା ଆଇନ ମୁତାବକ, କେନ୍ଦ୍ର ସରକାର ଅଭିବୃଦ୍ଧିର ୬୦ ପ୍ରତିଶତ ଭିତରେ ଋଣକୁ ସୀମିତ ରଖିବା କଥା । ଏହି ସୀମା ଅତିକ୍ରମ କରିଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ତଥ୍ୟ ଲୁଚାଇଛନ୍ତି । ବଡ଼ କଥା ହେଉଛି, ଋଣ ସହିତ କେନ୍ଦ୍ର ସରକାରଙ୍କ ରାଜସ୍ବ ନିଅଣ୍ଟ ମଧ୍ୟ ହୋଇଛି । ଯାହାକି ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ।
୨୦୦୫-୦୬ରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇଆସିଛି । କିନ୍ତୁ ଡବଲ ଇଞ୍ଜିନ ସରକାରର ପ୍ରଥମ ବର୍ଷ ବଜେଟରେ ଋଣ ପରିମାଣ ଏତେ ହେଲାଣି ଯେ, ଧୀରେ ଧୀରେ ରାଜସ୍ବ ନିଅଣ୍ଟ ଆଡ଼କୁ ମୁହାଁଇଲାଣି ରାଜ୍ୟ ଅର୍ଥନୀତି । ୨୦୩୬ ସୁଦ୍ଧା ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ୍ ଡଲାର ହେବ । ଏ ନେଇ ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଜରିଆରେ ରାଜ୍ୟ ସରକାର ଜଣାଇଛନ୍ତି । କିନ୍ତୁ ଏହା ବାସ୍ତବତାଠୁ ବହୁ ଦୂରରେ । କାରଣ ଏଥିପାଇଁ ବାର୍ଷିକ ରାଜ୍ୟର ଅଭିବୃଦ୍ଧି ୧୫ରୁ ୧୭ ପ୍ରତିଶତ ହେବା ଦରକାର । କିନ୍ତୁ ଏବେ ସରକାର ଟାର୍ଗେଟ୍ ରଖିଛନ୍ତି ୧୦ରୁ ୧୧ ପ୍ରତିଶତ ଅଭିବୃଦ୍ଧି । ଏପରି ହେଲେ ୨୦୩୬ ବେଳକୁ ରାଜ୍ୟ ମାତ୍ର ୩୦୦ ବିଲିୟନ୍ ଡଲାର ଓ ୨୦୪୭ ବେଳକୁ ୧.୫ ଟ୍ରିଲିୟନ ବଦଳରେ ମାତ୍ର ୯୦୦ ବିଲିୟନ୍ ଡଲାରରେ ପହଞ୍ଚିଥିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶା ବି ଧୀରେ ଧୀରେ ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ମୁହାଁଉଛି। କାରଣ ନିକଟରେ ଷଷ୍ଠ ଅର୍ଥ କମିଶନଙ୍କ ଗସ୍ତବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଟିକସରୁ ଓଡ଼ିଶା ପାଇଁ ରାଜଭାଗ ନ ବଢ଼ିଲେ ହସ୍ତାନ୍ତର ପୂର୍ବ ରାଜସ୍ବ ନିଅଣ୍ଟ ୯ ଲକ୍ଷ ୮୮ ହଜାର ୪୨୨ କୋଟି ହେବ ବୋଲି ଦର୍ଶାଇଛନ୍ତି। ଏହାର ଅର୍ଥ ରାଜ୍ୟ ଏବେଠୁ ରାଜସ୍ବ ନିଅଣ୍ଟିଆ ସ୍ଥିତି ଦେଖିଲାଣି ବୋଲି ଅଭିଯୋଗ ହୋଇଛି।
ଦେଶର ଅର୍ଥନୀତି ଏତେ ଟ୍ରିଲିୟନ୍ ସେତେ ଟ୍ରିଲିୟନ୍ ଛୁଇଁବ ବୋଲି କୁହାଯାଉଛି । ଗୋଟିଏ କଥା ସତ, ଋଣ ବୋଝ ବଢି ବଢିଚାଲିଛି । ରୋଜଗାର ସଙ୍କୁଚିତ ହେଉଥିବା ବେଳେ, ସବୁ ଜିନିଷର ଦରଦାମ ମଧ୍ୟ ଅହେତୁକ ଭାବେ ବଢିଚାଲିଛି ।