ଭାରତ ପାଇଁ ଆଜି କଳାଦିନ: ପୁଲୱାମା ଆକ୍ରମଣକୁ ପୂରିଲା ୬ ବର୍ଷ
1 min read
ନନ୍ଦିଘୋଷ ବ୍ୟୁରୋ : ୧୪ ଫେବୃଆରୀ ୨୦୧୯ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ଦେଶବାସୀ ଭୁଲି ପାରିନାହାନ୍ତି । ଏହି ଦିନ ଆମ ଦେଶ ୪୦ ବୀରପୁତ୍ରଙ୍କୁ ହରାଇଥିଲା। ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିଥିଲେ ମଧ୍ୟ ଆଜି ବି ଲୋକମାନଙ୍କ ଆଖିରୁ ଲୁହ ଝରିଆସେ। ସେବେଠୁ ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି ।
ଫେବୃଆରୀ ୧୪, ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ବଳିଦାନ ଦେଇଥିବା ୪୦ ସିଆରପିଏଫ ଯବାନଙ୍କୁ ଆଜି ବି ଝୁରିଛି ଦେଶ ମାଟି । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା। ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା। କେହି କିଛି ବୁଝିବା ପୂର୍ବରୁ ଏତେ ଜୋରରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ। କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ଆତଙ୍କବାଦୀ।