‘ନବୀନ ସରକାରଙ୍କ ସଫଳତାକୁ ଶ୍ରେୟ ନେବାକୁ ଚାହୁଁଛନ୍ତି ମୋହନ ସରକାର’
![](https://nandighoshatv.com/wp-content/uploads/2025/02/ରାଜ୍ୟପାଳଙ୍କ-ମୁହଁରେ-ବିଜେଡି-ସଫଳତା-1024x576.jpg)
ଭୁବନେଶ୍ବର: ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣରେ ନବୀନ ସରକାରଙ୍କ ସଫଳତାର ଶ୍ରେୟ ନେବାକୁ ମୋହନ ସରକାର ଚାହୁଁଥିବା ଅଭିଯୋଗ । ଏମିତି ଅଭିଯୋଗ ଆଣିଛି ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡି ସରକାର ସମୟର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି ବିଜେପି ସରକାର । ହେଲେ ଅନେକ କ୍ଷେତ୍ର ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେ କଥା ଉଠାଇନାହାଁନ୍ତି । ଆଇନ ଶୃଙ୍ଖଳା, ଦର ବୃଦ୍ଧି ଓ ବେକାରୀ କଥା ରାଜ୍ୟପାଳଙ୍କ ଅଭିଭାଷଣରେ ନାହିଁ । ଅନ୍ୟପଟେ କଂଗ୍ରେସ କହିଛି ରାଜ୍ୟପାଳ ମୁହଁରେ ମିଛ କୁହାଇଛନ୍ତି ରାଜ୍ୟ ସରକାର । ବିଜେପି କହିଛି ଯାହା ସରକାର ସଫଳତା ଅର୍ଜନ କରିଛନ୍ତି ତାହା ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ।
ଯାଜପୁରର ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ହୋଇଛି । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ, ନୟାଗଡ଼ର କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପ ଓ ବରଗଡ଼ର ଗଙ୍ଗାଧର ମେହେହର ପ୍ରକଳ୍ପ ଭଳି ପ୍ରମୁଖ ଜଳ ସେଚନ ପ୍ରକଳ୍ପ ଆବଣ୍ଟନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବଜେଟ ଅଧିବେଶନର ପ୍ରଥମ ଦିନରୁ ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ଏସବୁ ସଫଳତା ବଖାଣିଥିଲେ । ଯାହା କି ପୂର୍ବ ନବୀନ ପଟ୍ଟନାୟକ ସରକରାରଙ୍କ ବଡ଼ ସଫଳତା । ଏପରି ପୂର୍ବ ସରକାରଙ୍କ ଅନେକ ସଫଳତାକୁ ରାଜ୍ୟପାଳଙ୍କ ମୁହଁରେ କୁହାଇ ରାଜ୍ୟ ସରକାର ଶ୍ରେୟ ନେବାକୁ ଚାହିଁଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି. ବିଜେଡି ସରକାର ସମୟର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି ବିଜେପି ସରକାର । ହେଲେ ଅନେକ କ୍ଷେତ୍ର ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେ କଥା କହିନାହାଁନ୍ତି । ଆଇନ ଶୃଙ୍ଖଳା, ଦର ବୃଦ୍ଧି ଓ ବେକାରୀ କଥା ରାଜ୍ୟପାଳଙ୍କ ଅଭିଭାଷଣରେ ନାହିଁ ବୋଲି ନବୀନ ଅଭିଯୋଗ କରିଛନ୍ତି ।
ସେପଟେ ରାଜ୍ୟପାଳ ଅଭିଭାଷଣରେ ବିଜେପି ସରକାର ଗୋଲାପୀ ଚିତ୍ର ଦେଖାଇବା ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣ ଚିରାଚରିତ ଥିଲା । କିଛି ନୂତନତ୍ବ ନଥିଲା । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ କିଛି କଥା ବି ନଥିଲା । ଯେଉଁ ସଫଳତା କଥା କହିଲେ, ତାହା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ହୋଇଥିଲା ।
ସେହିପରି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣ ଭାଷାରେ ଅଳଙ୍କାର ଦିଆଯାଇଛି । ଓଡ଼ିଶାର ସାଧାରଣ ଲୋକଙ୍କ ହିତରେ ଉଦ୍ଦିଷ୍ଟ କଥା କହି ନାହାଁନ୍ତି । ପୁରୁଣା ଯୋଜନାର ନୂଆ ନାଁ କେବଳ ପଢିଲେ । ଫମ୍ପା ମାଠିଆର ଶବ୍ଦ ବେଶି । ପୁରୁଣା କାମରେ ରଙ୍ଗ ମାରି ବାହାଦୁରି ଦେଖାଉଛନ୍ତି ବିଜେପି ସରକାର । ଲୋକଙ୍କ ସମସ୍ୟା ଯେପରି ଦର ବୃଦ୍ଧି, କଟନୀ ଛଟନୀ, ପୋଲାଭରମ, ମହାନଦୀ, ଓଡ଼ିଆ ଅସ୍ମିତା, ଆଇନ ଶୃଙ୍ଖଳା ଭୁଶୁଡିବା କଥା କହିଲେ ନାହିଁ । ସେପଟେ କଂଗ୍ରେସ କହିଛି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି । ଯାହାର ଖୁଲାସା ଗୃହରେ ଆଲୋଚନା ବେଳେ କରାଯିବ । ବିଜେପି ଯୁକ୍ତି ହେଉଛି ଯାହା ସରକାର କରିଛନ୍ତି, ତାହାକୁ ରାଜ୍ୟପାଳ କହିଛନ୍ତି ।
ରାଜ୍ୟପାଳଙ୍କ ଅଭିଭାଷଣ ଓ ବାସ୍ତବ କଥା ଭିନ୍ନ ବୋଲି କହି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ବଜେଟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ସମୟରେ ଏହାକୁ ନେଇ ଗୃହରେ ସରଗରମ ଆଲୋଚନା ହେବ ବୋଲି ପ୍ରଥମ ଦିନରୁ ସଙ୍କେତ ଦେଇଛନ୍ତି ବିରୋଧୀ ।