ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାରେ ବିଳମ୍ବକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ
1 min read![](https://nandighoshatv.com/wp-content/uploads/2025/02/Manas-1-1024x576.jpg)
ନୂଆଦିଲ୍ଲୀ: ରାଜ୍ୟସଭାରେ ପରିବେଶ ମଞ୍ଜୁରୀ, ସାର, ଆୟୁଷ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶାକୁ କ’ଣ ଦିଆଯାଇଛି ବୋଲି ପ୍ରଶ୍ନ ପଚାରିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ପରିବେଶ ମଞ୍ଜୁରୀକୁ ନେଇ ପ୍ରଶ୍ନ କରିବା ସହ କହିଲେ- ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ରାଜ୍ୟର ବହୁ ଶିଳ୍ପ ପ୍ରକଳ୍ପ କାମ ବିଳମ୍ବ ହେଉଛି କି ? କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠାରୁ ଏକ ଅଣତାରକା ପ୍ରଶ୍ନ ଜରିଆରେ ଉତ୍ତର ମାଗିଥିଲେ । ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ପରିବେଶ ମଞ୍ଜୁରୀ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ନେଇ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ ।
ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସବୁ ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରସ୍ତାବକୁ ଏକ୍ସପର୍ଟ ଆପ୍ରାଇଜାଲ କମିଟି କିମ୍ବା ରାଜ୍ୟ ସ୍ତରୀୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି ଅନୁଧ୍ୟାନ କରିଥାନ୍ତି । ଏକ୍ସପର୍ଟ ଆପ୍ରାଇଜାଲ କମିଟିର ସୁପାରିଶ ଆଧାରରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କିମ୍ବା ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ପରିବେଶ ମଞ୍ଜୁରୀ ଦେଇଥାନ୍ତି କିମ୍ବା ଅଗ୍ରାହ୍ୟ କରିଥାନ୍ତି । ପରିବେଶ ପୋର୍ଟାଲ ତଥ୍ୟ ଅନୁଯାୟୀ ଚଳିତବର୍ଷ ଫେବୃଆରୀ ୧୦ ତାରିଖ ସୁଦ୍ଧା ପରିବେଶ ମନ୍ତ୍ରଣାଳୟ ନିକଟରେ ୫ଟି ଏବଂ ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ନିକଟରେ ୧୨ଟି ଶିଳ୍ପ ପ୍ରକଳ୍ପର ପରିବେଶ aଞ୍ଜୁରୀ ପ୍ରକଳ୍ପ ବିଚାରଧୀନ ରହିଛି । ଏଥିସହିତ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ପରିବେଶ ମଞ୍ଜୁରୀ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏକାଧିକ ପଦକ୍ଷେପ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ ସାରର ଅଭାବ ନାହିଁ । ପ୍ରତି କୃଷି ଋତୁ ପୂର୍ବରୁ ରାଜ୍ୟ ସରକାର ମାସୱାରୀ ସାରର ଆବଶ୍ୟକତା ନେଇ କେନ୍ଦ୍ରକୁ ଜଣାଇଥାନ୍ତି । ତଦନୁଯାୟୀ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାରର ଆବଣ୍ଟନ କରିଥାନ୍ତି । ତେବେ ରାଜ୍ୟ ମଧ୍ୟରେ ସାରର ଆବଣ୍ଟନ ଦାୟିତ୍ବ ରାଜ୍ୟ ସରକାରଙ୍କର ବୋଲି ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ।
ରାଜ୍ୟମାନଙ୍କୁ ସାରର ଆବଣ୍ଟନକୁ କେନ୍ଦ୍ର ସରକାର ଅନଲାଇନ ମନିଟରିଂ ବ୍ୟବସ୍ଥା ଦ୍ବାରା ତଦାରଖ କରିଥାନ୍ତି । ଏଥିସହିତ ପ୍ରତି ସପ୍ତାହରେ ରାଜ୍ୟମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରି ଆବଣ୍ଟନ ବ୍ୟବସ୍ଥାରେ ସଂଶୋଧନ କରାଯାଇଥାଏ । ଚାହିଦା ଓ ଉତ୍ପାଦନ ଭିତରେ ସାରର ଯେଉଁ ନିଅଣ୍ଟ ରୁହେଁ ତାକୁ କେନ୍ଦ୍ର ସରକାର ଆମଦାନୀ ଜରିଆରେ ଭରଣା କରିଥାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ମିଳୁଥିବା ସହାୟତା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ରହିଛି କି ? ଏଥିସହିତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ । ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି ଓ ସସ୍ମିତ ପାତ୍ର ମିଳିତ ଭାବେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଏକ ଅଣତାରକା ପ୍ରଶ୍ନରେ ସ୍ପଷ୍ଟୀକରଣ ମାଗିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏହାର ଉତ୍ତରରେ କହିଛନ୍ତି, ଆୟୁଷ୍ମାନ ଭାରତରେ ପୂରା ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଥିବା ବେଳେ, ରାଜ୍ୟ ସରକାର ମହିଳାଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି । ଏହି ଯୋଜନାରେ ଏବେ ସୁଦ୍ଧା ଯେତିକି ଲୋକ ସାମିଲ ହେବେ ବୋଲି ଆକଳନ କରାଯାଉଛି, ସେ ମଧ୍ୟରୁ ୪୯ ପ୍ରତିଶତ ମହିଳା ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଆୟୁଷ୍ମାନ ଭାରତରେ ୨୭ଟି ଜଟିଳ ରୋଗର ଚିକିତ୍ସା କରାଯାଉଛି । ଏଥିସହିତ କୌଣସି ରୋଗୀଙ୍କୁ ଡାକ୍ତରଖାନା ଫେରାଇ ଦେଲେ ସେନେଇ ଅଭିଯୋଗ ଦାଖଲ କରିବାକୁ ଟୋଲ ଫ୍ରି ନମ୍ବର ସହ ୱେବ ପୋର୍ଟାଲ ରହିଛି । ୨୦୨୪ ମାର୍ଚ୍ଚ ପରଠାରୁ ୩୭ ଲକ୍ଷ ଆଶା, ଅଙ୍ଗନବାଡି ପରିବାର ଏହି ଯୋଜନାରେ ସାମିଲ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।