ଥମିବାର ନାଁ ଧରୁନି ମଣ୍ଡି ଟେନସନ, କଟନି ଛଟନିରେ ପେଶି ହେଉଛନ୍ତି ଅନ୍ନଦାତା
![](https://nandighoshatv.com/wp-content/uploads/2025/02/ରାଜ୍ୟରେ-ଥମିବାର-ନାଁ-ଧରୁନି-ମଣ୍ଡି-ଟେନସନ-1024x576.jpg)
କଣ୍ଟାମାଳ : ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକରେ ଧାନ କିଣାରେ ବ୍ଯାପକ ଅବ୍ଯବସ୍ଥା । କଣ୍ଟାମାଳ ବ୍ଲକର ପ୍ରାୟ ସମସ୍ତ ମଣ୍ଡିରେ ମାସେ ମାସେ ଧରି ଧାନ ପଡିରହୁଛି । ମିଲର ଆବଶ୍ୟକ ଅନୁଯାୟୀ ଗାଡି ପଠାଉ ନଥିବାରୁ ଧାନ ଉଠିପାରୁନାହିଁ । ଫଳରେ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନ ଜଗି ବସୁଛନ୍ତି । ଏପରିକି ବହୁ ଦିନ ହେଲା ମଣ୍ଡିରେ ଧାନ ଉଠିପାରୁନଥିବାରୁ ମୂଷା ଓ ଉଇ ଲାଗି ଧାନ ନଷ୍ଟ ମଧ୍ଯ ହେଉଛି । ବିଭିନ୍ନ ମଣ୍ଡିରୁ ଚାଷୀଙ୍କ ଧାନ ଚୋରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି | ସବୁପରେ ବି କୁଇଣ୍ଟାଲ ପିଛା ୩ କେଜି ଧାନ କାଟିନେଉଛନ୍ତି ମିଲର ।ଏନେଇ ଚାଷୀ ପ୍ଯାକ୍ସ ସମ୍ପାଦକଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏପଟେ ମିଲର ଗାଡି ପଠାଉ ନ ଥିବାରୁ ଏପରି ଅବ୍ୟବସ୍ଥା ହେଉଥିବା ନେଇ ସ୍ୱୀକାର କରିଛନ୍ତି ସମବାୟ ସମିତି ସଂପାଦକ ।
ଏପଟେ ଯାଜପୁର ଜିଲ୍ଲା ଦଶରଥପୁରରେ ଚାଷୀ ଅସନ୍ତୋଷ । ଦଶରଥପୁର ବ୍ଲକ ତଳିଆ ପ୍ରାଥମିକ ସେବା ସମବାୟ ସମିତିରେ ମଣ୍ଡି ଅବ୍ଯବସ୍ଥା । ଟୋକନ ପାଇ ଚାଷୀ ଧାନ ନେଇ ମଣ୍ଡିକୁ ଯାଇଥିଲେ । ହେଲେ ମିଲର ଧାନ ନ ଉଠେଇବାରୁ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି । ଫଳରେ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଜଣାଇଛନ୍ତି । ୨୪ ଘଣ୍ଟା ମଧ୍ଯରେ ଧାନ ନଉଠିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ । ତୁରନ୍ତ ସରକାର ଓ ଜିଲ୍ଲାପ୍ରଶାସନ ଚାଷୀଙ୍କ ସମସ୍ଯାର ସମାଧାନ କରିବା ଜରୁରୀ ହୋଇପାଡିଛି ।