ଅନେକ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ, ଅର୍ଦ୍ଧଶତକ କଲେ ଆୟର

1 min read

ଅହମ୍ମଦାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ଅହମ୍ମଦାବାଦରେ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ପ୍ରଥମ ଦିନିକିଆରେ ଶତକ ହାତଛଡ଼ା କରିବା ପରେ, ସେ ଏବେ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ଗିଲ୍ ଅହମ୍ମଦାବାଦରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୯୫ ବଲ୍ ରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୭ମ ଶତକ। ଏହି ଫର୍ମାଟରେ ୫୦୭ ଦିନ ପରେ ତାଙ୍କ ବ୍ୟାଟରୁ ଏହି ଶତକ ଆସିଛି। ସେ ଶେଷ ଥର ପାଇଁ ୨୪ ସେପ୍ଟେମ୍ବର ୨୦୨୩ରେ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ।ଶୁଭମନ ଗିଲ ଅହମ୍ମଦାବାଦରେ ୧୦୨ ବଲ୍ ରେ ୧୧୨ ରନ୍ ର ଇନିଂସ ଖେଳିଥିଲେ ।

ଶୁଭମନ ଗିଲ ଅହମ୍ମଦାବାଦରେ ଶତକ ମାରିବା ପରେ ନିଜ ନାମରେ ଅନେକ ରେକର୍ଡ କରିଥିଲେ। ଶୁଭମନ ଗିଲ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ଯିଏ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଏକଦିବସୀୟ କ୍ରିକେଟରେ ୭ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ମଧ୍ୟ ହୋଇଥିଲେ। ଶୁଭମନ ମାତ୍ର ୫୦ଟି ଦିନିକିଆ ଇନିଂସରେ ୭ଟି ଶତକ ମାରିଛନ୍ତି ।  କେବଳ ଏତିକି ନୁହେଁ, ସେ ତାଙ୍କର ୫୦ତମ ଦିନିକିଆ ଇନିଂସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମଧ୍ୟ । ଅନ୍ୟପଟେ ଶ୍ରେୟସ ଆୟର ମଧ୍ୟ ଏହି ତୃତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୬୪ ବଲରେ ୭୮ ରନ କରିଛନ୍ତି  । ଯେଉଁଥିରେ ଦୁଇଟି ଛକା ଥିବା ବେଳେ ୮ଟି ଚୌକା ରହିଛି ।