ଦିନିକିଆରେ ୩୦୦ ରନ୍ ଚେଜ୍ ଏବେ ନର୍ମାଲ! ସହଜରେ ବିଜୟ ହାସଲ କରୁଛନ୍ତି ବିଭିନ୍ନ ଟିମ୍

1 min read

ନୂଆଦିଲ୍ଲୀ: ଟି-୨୦ ଫର୍ମାଟ ଆସିବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଦିନିକିଆ ଓ ଟେଷ୍ଟରେ ଖେଳାଳିମାନଙ୍କର ଖେଳିବାର ଶୈଳୀରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଟେଷ୍ଟରେ ବାଜବଲ ଗେମ ଖେଳାଯାଉଛି । ଅନ୍ୟପକ୍ଷରେ ଓ୍ବାନ ଡେ’ରେ ୩୦୦ ବା ତା’ଠାରୁ ଅଧିକ ଟାର୍ଗେଟକୁ ଚେଜ୍ କରିବା ଏବେ ନର୍ମାଲ ହୋଇଗଲାଣି । ସମୟ ୧-୨ ଦଶନ୍ଧି ତଳେ ୩୦୦ ରନ୍ ଟାର୍ଗେଟ କଥା ଶୁଣି ଖେଳାଳିମାନଙ୍କର ହୋସ ଉଡ଼ିଯାଉଥିଲା । ଏହାର ଉଦାହରଣ ଗତ ଏକ-ଦେଢ଼ ବର୍ଷରେ ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ ଟିମ ୪୮.୪ ଓଭରରେ ୩୦୫ ରନର ଟାର୍ଗେଟକୁ ଚେଜ କରିଥିଲା । ଏହି ଅବସରରେ ନ୍ୟୁଜିଲାଣ୍ଡ ମାତ୍ର ୪ଟି ଓ୍ବିକେଟ ହରାଇଥିଲା ।

ସେହିପରି ଏହି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଫେବୃଆରୀ ୯ରେ କଟକରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ୩୦୫ ରନର ଟାର୍ଗେଟକୁ ହାସଲ କରିଥିଲା । ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ବଳରେ ଭାରତୀୟ ଦଳ ଏହି ଟାର୍ଗେଟକୁ ୬ ଓ୍ବିକେଟ ହରାଇ ୪୪.୩ ଓଭରରେ ଚେଜ୍ କରିନେଇଥିଲା । ଭାରତ-ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ଆସନ୍ତା ୧୨ରେ ଖେଳାଯିବ । ଏବେ ଭାରତୀୟ ଟିମ୍ ୨-୦ରେ ସିରିଜରେ ଆଗୁଆ ରହିଛି । ଏହାପରେର ଆସନ୍ତା ୧୯ରୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ତେଣୁ ଚାମ୍ପିୟନ୍ସ ଟ୍ରଫି ଯେ କେତେ ରୋମାଞ୍ଚକର ହେବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ପ୍ରଥମ ପାଳିରେ ହାଇ ସ୍କୋରିଂ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଚେଜିଂର ରୋମାନ୍ସ ଦେଖିବାକୁ ମିଳିବ । ୨୦୨୪ରେ ମଧ୍ୟ ଅନେକ ଟିମ୍ ୩୦୦ ବା ତା’ଠାରୁ ଅଧିକ ଟାର୍ଗେଟକୁ ଚେଜ୍ କରି ଏହାକୁ ନର୍ମାଲ କରିଦେଇଛନ୍ତି । ଗତବର୍ଷ ଫେବୃଆରୀ ୯ରେ ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୮୨ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ପରି ଏକ ଦୁର୍ବଳ ଟିମ୍ ୬ ଓ୍ବିକେଟ ହରାଇ ୩୩୯ ରନ୍ ପର୍ଯ୍ୟନ୍ତ ଯିବା ଏକ ବଡ଼ ସଙ୍କେତ ଦେଉଛି । ବଡ଼ ବଡ଼ ଟିମ୍ କଥା ଛାଡ଼ନ୍ତି, ଛୋଟ ଛୋଟ ଟିମ୍ ମଧ୍ୟ ୩୦୦ ରନ୍ ଚେଜ୍ କରିବାର ସାମର୍ଥ୍ୟ ରଖୁଛନ୍ତି ବୋଲି ପ୍ରମାଣ ଦେଇସାରିଛନ୍ତି ।