ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ଅରବିନ୍ଦ କେଜ୍ରିଓ୍ବାଲ? ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା
![](https://nandighoshatv.com/wp-content/uploads/2025/02/up56-1024x576.jpg)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପରାଜୟବରଣ କରିବା ସହ ନିଜେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଗଡ଼ ବଞ୍ଚାଇ ପାରିନଥିଲେ । ତେବେ ଦିଲ୍ଲୀ ହାତରୁ ଖସିବା ପରେ ଏବେ କେଜ୍ରିଓ୍ବାଲଙ୍କ ନଜର ପଞ୍ଜାବ ଉପରେ ରହିଥିବା ଚର୍ଚ୍ଚା ହେଉଛି । ଏହା ମଧ୍ୟରେ କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ତେଣୁ କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜେନୖତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ତେଣୁ ଏହି ଚର୍ଚ୍ଚା କେତେ ସତ ତାହା ଏକ ବଡ଼ ପ୍ରଶ୍ନ ।
ଦିଲ୍ଲୀ ନିର୍ବାଚନରେ ଝଟକା ଖାଇବା ପରେ ଏବେ କେଜ୍ରିଓ୍ବାଲଙ୍କ ଭରସା ପଞ୍ଜାବ ବୋଲି କୁହାଯାଉଛି । ଏକମାତ୍ର ରାଜ୍ୟ ପଞ୍ଜାବରେ ଆପ ମଜବୁତ ସ୍ଥିତିରେ ରହିବା ସହ ସରକାରରେ ରହିଛି । ଦିଲ୍ଲୀରେ ହାରିବା ପରେ ଏବେ କେଜ୍ରିଓ୍ବାଲ ପଞ୍ଜାବରେ ମଙ୍ଗ ଧରିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ହୋଇପାରେ ପଞ୍ଜାବକୁ ନେଇ କେଜ୍ରିଓ୍ବାଲଙ୍କର ଅନ୍ୟ କିଛି ରଣନୀତି ରହିଥାଇପାରେ । ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଭଗଓ୍ବନ୍ତ ମାନଙ୍କୁ ହଟାଇ କେଜ୍ରିଓ୍ବାଲ ଉକ୍ତ ଆସନରେ ବସିପାରନ୍ତି । ଏହି ଦାବି କେତେଦୂର ସତ, ତାହା ଅଳ୍ପଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ । ତେଣୁ ଆପକୁ ନେଇ ପୁଣି ଥରେ ହଲଚଲ ଆରମ୍ଭ ହୋଇଯାଇଛି । ରାଜନୈତିକ ଅଳିନ୍ଦରେ ଅଲଗା ଅଲଗା ପ୍ରକାରର ଚର୍ଚ୍ଚା ଦେଖିବାକୁ ମିଳିଛି । ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ବିଜୟ ହାସଲ କରିଥିଲା । ଦଳ ୧୧୭ରୁ ୯୨ଟି ଆସନରେ ବାଜିମାତ କରି ସରକାର ଗଠନ କରିଥିଲା । ସିଏମ ଦାୟିତ୍ବ ଗ୍ରହଣ କରିବା ପରେ କେଜ୍ରିଓ୍ବାଲ ପଞ୍ଜାବର ରାଜନୀତିରେ ପ୍ରତ୍ୟକ୍ଷ ଭାବେ ବଡ଼ ଭୂମିକା ନିର୍ବାହ କରିପାରିବେ ବୋଲି କୁହାଯାଉଛି । ଲୁଧିୟାନା ବିଧାନସଭା ଆସନ ଏବେ ଖାଲି ଥିବାରୁ କେଜ୍ରିଓ୍ବାଲ ଉକ୍ତ ଆସନରେ ଲଢ଼ି ସରକାରରେ ସାମିଲ ହେବାକୁ ଆଶାୟୀ ଥିବା କଥା ମଧ୍ୟ କୁହାଯାଉଛି ।