ତିନି ଫୁଟ କନିଆକୁ ଅଢ଼େଇ ଫୁଟର ବର, ଫେସବୁକ ପ୍ରେମରୁ ବିବାହ
![](https://nandighoshatv.com/wp-content/uploads/2025/02/Small-Couple-Haryana-1024x576.jpg)
କୁରୁକ୍ଷେତ୍ର: ସାଧାରଣ ଭାବେ ଉଭୟ ପୁଅ ଓ ଝିଅ ନିଜ ନିଜର ଜୀବନସାଥୀ ଚୟନକୁ ନେଇ ସର୍ବଦା ସତର୍କ ରହିଥାନ୍ତି । ଅଭିଭାବକମାନେ ମଧ୍ୟ ଏକ ଭଲ ପାତ୍ର / ପାତ୍ରୀ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି । ତେବେ ଅନେକ ସମୟରେ ବର ଓ କନ୍ୟାଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏହା ମଧ୍ୟରେ ହରିୟାଣାରୁ ଆସିଛି ଏକ ଅଜବ ମାମଲା । ୩ ଫୁଟ ଉଚ୍ଚତା ବିଶିଷ୍ଟ ଜଣେ କନ୍ୟା ଅଢ଼େଇ ଫୁଟ ଉଚ୍ଚତା ବିଶିଷ୍ଟ ବରଙ୍କୁ ବିବାହ କରିଛନ୍ତି । ଅଢ଼େଇ ଫୁଟର ଜସମେର ସିଂହ ଓ ସାଢ଼େ ୩ ଫୁଟର ସୁପ୍ରୀତ କୌରଙ୍କ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫେସବୁକ ପ୍ରେମରୁ ଏହି ଦୁଇ ପ୍ରେମୀ ପରସ୍ପରଙ୍କ ହାତ ଧରିଛନ୍ତି ।
ହରିୟାଣାର କୁରୁକ୍ଷେତ୍ର ନିବାସୀ ଜସମେର ସିଂହ ଓରଫ ପୋଲା ମଲିକ ଜଳନ୍ଧର ନିବାସୀ ସୁପ୍ରୀତ କୌରଙ୍କ ସହ ଗୁରୁଦ୍ବାର ସାହିବରେ ବିବାହ କରିଛନ୍ତି । ସୁପ୍ରୀତ କାନାଡ଼ାରୁ ଜଳନ୍ଧର ଆସିଥିଲେ । ଦୁଇ ପରିବାର ବିବାହ ପରେ କୁରୁକ୍ଷେତ୍ରରେ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ । ବିବାହ ପରେ ପୋଲା ଓ ସୁପ୍ରୀତ ଡ୍ୟାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସୋସିଆଲ ମିଡ଼ିଆରେ ଦେଢ଼ ବର୍ଷ ପୂର୍ବେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଦେଢ଼ ବର୍ଷ ପରେ ଦୁହେଁ ପରସ୍ପରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପୂର୍ବରୁ ସୁପ୍ରୀତ ପୋଲା ମଲିକଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଗାଁକୁ ଅନେକ ଥର ଆସିଥିଲେ । ଦୁହେଁ ପରସ୍ପରଙ୍କୁ ଜାଣିବା ପରେ ବିବାହ ପାଇଁ ନିଜ ନିଜର ପିତାମାତାଙ୍କୁ ଜଣାଇଥିଲେ । ତା’ପରେ ପରିବାରବର୍ଗ ବିବାହ ପାଇଁ ରାଜି ହୋଇଯାଇଥିଲେ । ପୋଲା ମଲିକ କୁରୁକ୍ଷେତ୍ରର ଉପମଣ୍ଡଳ ପିହୋବାର ସାରସା ଗ୍ରାମର ବାସିନ୍ଦା ଅଟନ୍ତି ।
ପୋଲାଙ୍କ ନାମରେ ପାଖାପାଖି ୫ ଏକର ଜମି ରହିଥିବା ବେଳେ ସେଥିରେ ସେ କ୍ଷେତିବାଡ଼ି କରିଥାନ୍ତି । ତାଙ୍କର ଏକ ସାନ ଭାଇ ରାହୁଲ ମଲିକ ମଧ୍ୟ ଅଛନ୍ତି । ପୋଲା ମଲିକ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହିଥିବା ବେଳେ ଫେସବୁକରେ ତାଙ୍କର ୧୭ ହଜାର ଓ ଇନଷ୍ଟାଗ୍ରାମରେ ସାଢ଼େ ୫ ହଜାର ଫଲୋଅର ରହିଛନ୍ତି । ହରିୟାଣାର ସବୁଠାରୁ ଛୋଟ ବ୍ୟକ୍ତି ବୋଲି ସେ ନିଜ ଆକାଉଣ୍ଟସରେ ଲେଖିଛନ୍ତି । ସେ ନିଜର ରିଲ୍ସ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ କରିଥାନ୍ତି । ଫେସବୁକରେ ଏକ ସଂସ୍ଥାର ପେଜ ମାଧ୍ୟମରେ କାନାଡ଼ାରେ ରହୁଥିବା ସୁପ୍ରୀତ କୌରଙ୍କ ଦେଢ଼ ବର୍ଷ ପୂର୍ବରୁ ପୋଲ ମଲିକଙ୍କ ସହ ସାକ୍ଷାତ ହୋଇଥିଲା । ସୁପ୍ରୀତ କାନାଡ଼ାର ନାଗରିକତା ନେଇସାରିଥିବା ବେଳେ ସେ କେବେ କେବେ ଭାରତ ଆସିଥାନ୍ତି ।