ଖଣି ଖନନକୁ ବିରୋଧ, ଏକାଠି ହେଲେ ୨୧ଟି ଗାଁର ଲୋକେ

1 min read

ପାଟଣାଗଡ଼: ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ଚର୍ଚ୍ଚା ପରେ ପାଟଣାଗଡ଼ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ମେଳି । ପାଟଣାଗଡ଼ ବ୍ଲକର ୬ଟି ପଞ୍ଚାୟତର ୨୧ ଖଣ୍ଡ ଗାଁରେ ଖଣି ଖନନ ଚିଠି ଭାଇରାଲ ହେଉଛି । ଚିଠି ଭାଇରାଲ୍ ହେବା ପରେ ତାତିଛନ୍ତି ସ୍ଥାନୀୟ ଲୋକେ ।

ଖଣି ଖନନକୁ ଜୋରଦାର ବିରୋଧ କରାଯାଇଛି I ପାଟଣାଗଡ଼ ବ୍ଲକର ୬ଟି ପଞ୍ଚାୟତର ୨୧ ଗାଁରେ ମାଙ୍ଗାନିଜ ଓ ବକ୍ସାଇଟ୍ ଉତ୍ତୋଳନ ହେବା ନେଇ MCL ପକ୍ଷରୁ ଚିଠି ଭାଇରଲ୍ ହେଉଛି । ଖବର ପାଇବା ପରେ ୨୧ ଖଣ୍ଡ ଗାଁର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ଚକାମାଲ ଗାଁ ଆମ୍ବବଗିଚାରେ ରୁଣ୍ଡ ହୋଇ କିପରି ନିଜ ଭିଟାମାଟିକୁ ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।

ଏହାସହ ଅଞ୍ଚଳରେ ଖଣି ଖନନକୁ ବିରୋଧ କରାଯିବ ବୋଲି ଶପଥ ନେଇଛନ୍ତି । ଏନେଇ ପ୍ରଥମେ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।