ଲିଭର ସମସ୍ୟାରୁ ମୁକ୍ତି ଦେବ ଆୟୁର୍ବେଦ: କ’ଣ କଲେ ଲିଭର ସୁସ୍ଥ ରହିବ?
1 min read![Ayurvedic Secrets, Liver Healthy](https://nandighoshatv.com/wp-content/uploads/2025/02/Liver-1024x576.jpg)
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛି । ବିଶେଷ କରି ଖରାପ ଖାଦ୍ୟପେୟ ଓ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ମଣିଷ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ଆଜିର ସମୟରେ ମଣିଷ ଲିଭର ସହ ଜଡ଼ିତ ଅନେକ ସମସ୍ୟାର ସାମ୍ନା କରୁଛି । ଲିଭର ସମସ୍ୟା କାରଣରୁ ଆଜି ଅନେକ ଲୋକ ବହୁଳ ଭାବେ ଖର୍ଚ୍ଚାନ୍ତ ହେବା ସହ ଅକାଳରେ ମୃତ୍ୟୁ ବରଣ କରୁଥିବାର ଦେଖାଯାଉଛି । ତେବେ ଆପଣମାନେ ବେଳ ଥାଉଥାଉ ସତର୍କ ହେଲେ ଲିଭରକୁ ସୁସ୍ଥ ରଖିବା ସହ ବହୁ ରୋଗରୁ ରକ୍ଷା ପାଇ ପାରିବେ । ଆପଣମାନେ ଆୟୁର୍ବେଦିକ ଜଡ଼ିବୁଟିର ଉପଯୋଗ କରି ନିଜର ଲିଭରକୁ ସୁସ୍ଥ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।
ଅଁଳା: ଅଁଳା ଲିଭରକୁ ଡିଟକ୍ସ କରିବାର କାମ କରିଥାଏ । ଏଥିରୁ ମିଳୁଥିବା ପୋଷକ ତତ୍ତ୍ବ ଲିଭରର କାର୍ଯ୍ୟ କ୍ଷମତାକୁ ବଢ଼ାଇଥାଏ । ଅଁଳାରେ ରହିଥିବା ହେପଟୋ-ପ୍ରୋଟେକ୍ଟିଭ ଗୁଣ ଲିଭରର କୋଷିକାଗୁଡ଼ିକୁ ସୁସ୍ଥ ରଖିଥାଏ । ଅଁଳାକୁ ଆପଣମାନେ ବିଭିନ୍ନ ପ୍ରକାରେ ବ୍ୟବହାର କରିପାରିବେ । କଞ୍ଚା ଅଁଳାକୁ ଖାଇ ପାରିବେ, ଜୁସ କରି ପିଇପାରିବେ ଓ କ୍ୟାଣ୍ଡିର ମଧ୍ୟ ବ୍ୟବହାର କରିପାରିବେ ।
ଏଲୋଭେରା: ଏଲୋଭେରାର ଭରପୁର ମାତ୍ରାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି ଲିଭରକୁ ଫ୍ରି ରେଡିକଲ୍ସ ଦ୍ବାରା ହେଉଥିବା ଅନେକ ପ୍ରକାରର କ୍ଷତିରୁ ବଞ୍ଚାଇଥାଏ । ସୀମିତ ମାତ୍ରାରେ ଏଲୋଭେରାର ସେବନ କରିବା ଫଳରେ ଲିଭର ଦୀର୍ଘ ସମୟ ଧରି ସୁସ୍ଥ ରହିଥାଏ । ଏଲୋଭେରାକୁ ଜୁସ ଭାବେ ଅଧିକାଂଶ ବ୍ୟବହାର କରିଥାନ୍ତି । ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ୨-୩ ଚାମଚ ଏଲୋଭେରା ଜୁସକୁ ସମାନ ମାତ୍ରାରେ ପାଣିରେ ମିଶାଇ ପିଇ ପାରିବେ ।
ପୁନର୍ନବା: ପୁନର୍ନବା ଲିଭର ପ୍ରଦାହରୁ ରକ୍ଷା କରିଥାଏ । ପୁନର୍ନବା ଏକ ଜଡ଼ିବୁଟି ହୋଇଥିବା ବେଳେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ପାଉଡର ଓ ସିରପ ଭାବେ ଏହାକୁ ବ୍ୟବହାର କରାଯାଏ । ଏହାର ଖୁରାକ ପାଇଁ ଆୟୁର୍ବେଦିକ ଡାକଙ୍କର ପରାମର୍ଶ ନେବା ଜରୁରୀ ।
ଏଥିସହିତ ଲିଭରକୁ ସୁସ୍ଥ ରଖିବାକୁ ଆପଣମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ପାରିବେ । ଦୈନିକ ଅତିକମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ । ଏହାଦ୍ବାରା ଶରୀରରୁ ବିଷାକ୍ତ ତତ୍ତ୍ବ ସହଜରେ ବାହାରି ଯାଇଥାଏ । ନିଜର ଖାଦ୍ୟରେ ପୁଷ୍ଟିକର ସାମଗ୍ରୀକୁ ସାମିଲ କରନ୍ତୁ । ଲିଭର ପାଇଁ ସବୁଜ ପନିପରିବା, ଫଳ, ଡାଲି, ଗାଜର ଖାଆନ୍ତୁ ।