ବ୍ରହ୍ମପୁରରେ ମୁକ୍ତା ଯୋଜନାରେ ବ୍ୟାପକ ହରିଲୁଟ ଅଭିଯୋଗ
![](https://nandighoshatv.com/wp-content/uploads/2025/02/ମୁକ୍ତା-ଯୋଜନା-ନାଁରେ-ହରିଲୁଟ୍-1024x576.jpg)
ବ୍ରହ୍ମପୁର : ତଳେ କୁଢ କୁଢ ଅଳିଆ, ଉପରେ ଓପନ ଜିମ୍ । ସରଞ୍ଜାମରୁ ଜରି ଛାଡିନି । ହେଲେ ବ୍ଯାୟାମ କଲେ ଶରୀର କେତେ ସୁସ୍ଥ ହେବ ତାହା ଏହି ଦୃଶ୍ଯକୁ ଦେଖିଲେ ଆପଣମାନେ ନିଶ୍ଚିତ ଅନୁମାନ କରିପାରୁଥିବେ । ଇଏ ହେଉଛି ଦକ୍ଷିଣ ଓଡ଼ିଶାର ବାଣିଜ୍ଯିକ କେନ୍ଦ୍ର ବ୍ରହ୍ମପୁରର ଦୃଶ୍ଯ । କେଉଁଠି ସରଞ୍ଜାମ ସବୁ ଖତ ଖାଇଲାଣି ତ କେଉଁଠି ଜିନିଷ ରଖିବା କିମ୍ବା ବିଶ୍ରାମ ନେବାକୁ ବ୍ଯବହାର ହେଉଛି । ମୁକ୍ତା ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ୮ ପ୍ରକାର ଓପନ ଜିମ୍ ସରଞ୍ଜାମ । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୫ ଲକ୍ଷ ଟଙ୍କା । ହେଲେ ଡମ୍ପିଂୟାର୍ଡରେ ଏସବୁ ସରଞ୍ଜାମ ଲଗାଇ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ କରିଛନ୍ତି ସହରବାସୀ । ଯାହା ଲୋକଙ୍କ କାମରେ ଆସୁ ନଥିବାରୁ ଏନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ସରରବାସୀ ।
ବ୍ରହ୍ମପୁର ବଡ଼ବଜାରର ଗୌଡ଼ ସାହି, ଆଗା ସାହି, ମିଲଟାରୀ ଲାଇନ, ଲାଞ୍ଜିପଲ୍ଲୀ, ପ୍ରେମ ନଗର, ହାଉସିଂ ବୋର୍ଡ ଭଳି ବିଭିନ୍ନ ସ୍ଥାନର ଡ଼ମ୍ପି ୟାର୍ଡ଼ରେ ଲାଗିଛି ଓପନଜିମ୍ ସରଞ୍ଜାମ । ଠିକାଦାର କମିଶନ ନେଇ ଏପରି ଅପରିଷ୍କାର ସ୍ଥାନରେ ଲଗାଇ ଦେଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି । ମୁକ୍ତା ଯୋଜନାରେ ଟଙ୍କା ବାଟମାରଣା ହୋଇଥିବା ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ସମୀକ୍ଷା ବୈଠକରେ ଜାଣିବାକୁ ପାଇଛନ୍ତି । ତୁରନ୍ତ ଏହାକୁ ସ୍ଥାନାନ୍ତର କରାଯାଇ ବ୍ଯବହାର ଉପଯୋଗୀ ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓପେନ୍ ଜିମ୍ ନିର୍ମାଣ ନେଇ ମୁକ୍ତା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ପରେ ଘଟଣାର ତଦନ୍ତ ହେବ ବୋଲି ବିଧାୟକ କହିଛନ୍ତି ।