ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଥମିବ କି ମଣିପୁର ହିଂସା ?

1 min read

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଗତ ଦୁଇ ବର୍ଷ ଧରି ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ନିଆଁରେ ଜଳୁଛି । ମଣିପୁରରେ ଘଟିଥିବା ହିଂସାକୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ଦାବି କରୁଥିଲେ । କଂଗ୍ରେସ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି ।

ଏନ ବୀରେନ ସିଂହ ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏନ ବୀରେନ ସିଂହଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ତାଙ୍କୁ ଏହି ପଦବୀରେ ରହିବାକୁ ଅନୁରୋଧ କରିଛନ୍ତି । ମେ ୨୦୨୩ ରୁ ମୈତେଇଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଜାତିଗତ ହିଂସା ପରିପ୍ରେକ୍ଷୀରେ ଏନ ବୀରେନ ସିଂହଙ୍କ ଇସ୍ତଫା ଆସିଛି । ମୈତେଇ ସମ୍ପ୍ରଦାୟ ଦ୍ୱାରା ଅନୁସୂଚିତ ଜନଜାତି (ST) ମାନ୍ୟତା ଦାବିକୁ ନେଇ ଘଟିଥିବା ହିଂସାରେ ବହୁ ପ୍ରାଣହାନି, ବିସ୍ଥାପନ ଏବଂ ସମ୍ପତ୍ତିର କ୍ଷତି ହୋଇଥିଲା ।

ମଣିପୁର ହିଂସାରେ ୨୫୮ ଜଣଙ୍କ ପ୍ରାଣହାନି
ମଣିପୁରରେ ହିଂସା ଏବଂ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ଉପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ମଣିପୁର ଗସ୍ତ କରିବା ଉଚିତ । ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହାକୁୂ ସମାଲୋଚନ କରିଛନ୍ତି ।  ହିଂସାରେ ଏପର୍ଯ୍ୟନ୍ତ ୨୫୮ ଜଣ ପ୍ରାଣ ହରାଇଛନ୍ତି । ୬୦,୦୦୦ ରୁ ଅଧିକ ଲୋକ ବାସଚ୍ୟୁତ ହୋଇଥିବା ବେଳେ ହଜାର ହଜାର ଲୋକ ଏବେବି ରିଲିଫ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଇସ୍ତଫା ଦେଲେ କ’ଣ ହିଂସା ବନ୍ଦ ହୋଇଯିବ ?
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଜଣେ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି ଯେ, ପ୍ରକୃତରେ ଏହି ଇସ୍ତଫା ପୂର୍ବରୁ ହେବା ଉଚିତ ଥିଲା, କିନ୍ତୁ ତାହା ହୋଇନଥିଲା। ସୋମବାରଠାରୁ ମଣିପୁର ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିଲା। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛି। ବିଜେପି ବିଧାୟକମାନଙ୍କର ଏକ ଗୋଷ୍ଠୀ ନିଜେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କୁ ବିରୋଧ କରୁଥିଲେ। ଅତିକମରେ ୧୨ରୁ ଅଧିକ ବିଧାୟକ ତାଙ୍କ ବିରୋଧରେ ଥିଲେ ଏବଂ ନେତୃତ୍ୱ ପରିବର୍ତ୍ତନ ଦାବି କରୁଥିଲେ । ଏପରି ପରିସ୍ଥିତିରେ ସରକାରଙ୍କ ଅନାସ୍ଥା ପ୍ରସ୍ତାବ ହାରିଯିବାର ଆଶଙ୍କା ରହିଛି । ଯଦି ଏନ ବୀରେନ ସିଂହ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ହାରିଯାଇଥାନ୍ତେ, ତେବେ ଦିଲ୍ଲୀରେ ବିଜେପିକୁ କ୍ଷତି ହୋଇଥାଆନ୍ତ । କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ବୁଝାଇବା ପାଇଁ ବିଜେପି ନେତା ସମ୍ବିତ ପାତ୍ରଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଏହି କାରଣରୁ, ଶେଷରେ ଏନ ବୀରେନ ସିଂହଙ୍କୁ ଇସ୍ତଫା ଦେବାକୁ ପଡିଲା ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ

ଏନ ବୀରେନ ସିଂହ ପଦ ଛାଡିବା ପରେ, ମଣିପୁରରେ ବିଜେପି ସରକାର ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଏହି ଅଞ୍ଚଳକୁ ସ୍ଥିର କରିବା ଏବଂ ଚାଲିଥିବା ସଂଘର୍ଷର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି, କିନ୍ତୁ ଏହା ନିଶ୍ଚିତ ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଯିଏ ମଧ୍ୟ ହେବେ ଶାନ୍ତି ପୁନଃସ୍ଥାପନ ଏବଂ ଯୁଦ୍ଧରତ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ପୁନଃନିର୍ମାଣ କରିବାରେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ।