ରଙ୍ଗବେରଙ୍ଗର ଫୁଲରେ ଝଲସୁଛି ବିଦ୍ୟାଳୟର ପରିବେଶ

1 min read

କାମାକ୍ଷାନଗର : ସୁନ୍ଦର ସବୁଜିମା ଓ ରଙ୍ଗ ବେରଙ୍ଗର ଫୁଲରେ ପୁରି ଉଠିଛି ପରିବେଶ l ଫୁଲର ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ସୃଷ୍ଟି କରିଛି ପାର୍କର ଭ୍ରମ l ଏହି କୌଣସି ଘରୋଇ ଶିକ୍ଷାନୁଷ୍ଠାନର ନୁହେଁ ଏହା ହେଉଛି କାମାକ୍ଷାନଗର ସ୍ଥିତ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । କ୍ୟାମ୍ପସ ପରିସରରେ ଯେଉଁଆଡ଼େ ଚାହିଁବେ ଗେଣ୍ଡୁ, ସେବତୀ, ଡାଲିଆ, ଗୋଲାପ ଭଳି ଦେଶି ବିଦେଶୀ ଫୁଲରେ ଝଲସୁଛି ବିଦ୍ୟାଳୟର ପରିବେଶ । ଶିକ୍ଷା ଗ୍ରହଣ ସହିତ ପିଲାମାନଙ୍କୁ କର୍ମାନୁଭୂତି ଯୋଗାଇବା ପାଇଁ ସୃଷ୍ଟି କରିଛନ୍ତି ସୁନ୍ଦର ଫୁଲ ବଗିଚା l ଏହି ସୁନ୍ଦର ଫୁଲ ବଗିଚାଟି ବିଦ୍ୟାଳୟର ଶୋଭାକୁ ଦ୍ଵିଗୁଣିତ କରୁଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ଏହି ଫୁଲ ବଗିଚାଟି ସାଜିଛି ଚିତ୍ତ ବିନୋଦନର ମାଧ୍ୟମ l ନିଜ ହାତରେ ଏହି ସୁନ୍ଦର ଫୁଲ ବଗିଚାଟିକୁ ତିଆରି କରିଥିବା ବେଳେ ସୁନ୍ଦର ପରିବେଶକୁ ନେଇ ଖୁସିବ୍ଯକ୍ତ କରିଛନ୍ତି ଛାତ୍ରଛାତ୍ରୀ l…

ପାଠ ସାଙ୍ଗକୁ ସୁନ୍ଦର ପରିବେଶ ଛାତ୍ରଛାତ୍ରୀ ମାନଙ୍କ ମାନସିକ ଅବସାଦ ଦୂର କରିବାରେ ବେଶ ସହାୟକ ହେଉଛି l ପାଠ ପଢ଼ାରୁ ସମୟ ବାହାର କରି କର୍ମାନୁଭୂତିର ଅବସରକୁ ସୁନ୍ଦର ଭାବେ ବ୍ୟବହାର କରି ସଜାଇଛନ୍ତି ଏହି ଫୁଲର ଗାଲିଚା l ରଙ୍ଗ ବେରଙ୍ଗର ଫୁଲ ବଗିଚା ସାଙ୍ଗକୁ ବିଦ୍ୟାଳୟ ପରିସରରେ ଶ୍ରମଦାନ କରି ପିଲାମାନେ ପରିବା ବଗିଚା ମଧ୍ୟ ସୃଷ୍ଟି କରିଛନ୍ତି l ଋତୁ ଅନୁସାରେ ବିଭିନ୍ନ ପ୍ରକାର ପରିବା ଚାଷ କରି ପିଲାମାନେ କୃଷି ପ୍ରତି ଆକୃଷ୍ଟ ହେଉଛନ୍ତି । ପରିବା ବଗିଚାରେ ବାଇଗଣ, କୋବି, ଲଙ୍କା, କଲରା, ଝୁଡ଼ଙ୍ଗ ଇତ୍ୟାଦି ପରିବା ଚାଷ କରିଛନ୍ତି l ଶିକ୍ଷକଙ୍କ ପ୍ରେରଣା ପାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ଓ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି l ଶିକ୍ଷା ସାଙ୍ଗକୁ ସୁନ୍ଦର ସ୍ଵଚ୍ଛ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଛି କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ l ଶିକ୍ଷା ଗ୍ରହଣ ସହିତ ପିଲାମାନଙ୍କୁ କର୍ମାନୁଭୂତି ଯୋଗାଇବା ପାଇଁ ସୃଷ୍ଟି ହୋଇଛି ସୁନ୍ଦର ଫୁଲ ବଗିଚା l ଏହାଦ୍ଵାରା ପିଲାଟି ମଧ୍ୟରେ ଛୋଟ ବୟସରୁ ବୃକ୍ଷରୋପଣ ଓ ପ୍ରକୃତି ପ୍ରତି ଭଲପାଇବା ବଢୁଛି ।