ଏହି ମାମଲାରେ ଭାରତଠାରୁ ଆଗରେ ରହିଛି ପାକିସ୍ତାନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଆସୁଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଫେବୃଆରୀ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକେ । ତେବେ ବିଶ୍ବକପରେ ପାକିସ୍ତାନଠାରୁ ଆଗରେ ରହିଥିବା ଭାରତ କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ପଛରେ ରହିଛି । ଉଭୟ ଦଳ ୫ଥର ମୁହାଁମୁହିଁ ହୋଇଥିବାବେଳେ ପାକିସ୍ତାନ ୩ଥର ବିଜୟ ହୋଇଥିବାବେଳେ ଭାରତ ୨ ଥର ଜିତିଛି । ଏଣୁ ଆଶା କରାଯାଉଛି କି ଏଥରକ ଭାରତ- ଏହି ରେକର୍ଡ ଭାଙ୍ଗିବ । ସେପଟେ ଦିନିକିଆରେ ମଧ୍ୟ ଭାରତ ଏବଂ ପାକିସ୍ତାନକୁ ଯଦି ହେଡ ଟୁ ହେଡ ଦେଖିବା ତାହେଲେ ବିଜୟ ହାର ମଧ୍ୟ ଆଗରେ ରହିଛି ।

ଏଯାବତ ଭାରତ-ପାକିସ୍ତାନ ମଧ୍ୟରେ ୧୩୫ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୫୭ଟି ବିଜୟୀ ହୋଇଥିବାବେଳେ ପାକିସ୍ତାନ ୭୩ଟି ଜିତିଛି । ଏଣୁ ଭାରତଠାରୁ ଆଗରେ ରହିଥିବା ପାକିସ୍ତାନକୁ ଏତେ ସହଜରେ ନେବା ଭୁଲ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି । ତେବେ କହି ରଖୁଛୁ କି, ଚଳିତ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଯିବାକୁ ମନା କରିଥିଲା ଭାରତ । ଯେଉଁ କାରଣରୁ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ କିଭଳି ଭାବେ ଆୟୋଜନ କରୁଛି ତାହା ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର ।