ଡ୍ରାଇଭର ସିଟରେ ଥାଇ ବି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇଲାନି ବିଜେପି: ଡବଲ ଇଞ୍ଜିନ ସରକାର କାହିଁକି ଡରୁଛି ବୋଲି ପ୍ରଶ୍ନ କଲା ବିଜେଡି
1 min read![](https://nandighoshatv.com/wp-content/uploads/2025/02/BJP-Fear-1-1024x576.jpg)
ଭୁବନେଶ୍ବର: ୨୪ ବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳିଥିଲା ବିଜେଡି । କିନ୍ତୁ କେନ୍ଦ୍ରଠୁ ଯେତିକି ନ୍ୟାୟ ମିଳିବା କଥା ତାହା ମିଳିନି। ଯେତିକି ଆର୍ଥିକ ସହାୟତା ରାଜ୍ୟ ପାଇବା କଥା ତାହା ପାଇନାହିଁ। ଏକ ବେମାର ରାଜ୍ୟରୁ ଆର୍ଥିକ ପ୍ରଗତିପୂର୍ଣ୍ଣ ରାଜ୍ୟରେ ପରିଣତ କରିବାରେ ବିଜେଡି ସମର୍ଥ ହୋଇଥିବା ନୀତି ଆୟୋଗ ରିପୋର୍ଟ କହିଛି। ଠିକ ସମାନ ଢଙ୍ଗରେ ଏବେ ବି ବିଜେଡି ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ପ୍ରମୁଖ ଦାବି ଉପସ୍ଥାପନ କରିଛି ଦଳ। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ଅର୍ଥ କମିଶନଙ୍କ ନିକଟରେ ଦାବି କରାଯାଇଛି ।
ନର୍ଥ ଇଷ୍ଟ ଓ ହିମାଳୟ ରାଜ୍ୟ ଭଳି ସ୍ୱତନ୍ତ୍ର ସହାୟତା ଦିଆଯାଉ । ଏଥିସହିତ କେନ୍ଦ୍ରୀୟ ରାଜସ୍ୱରୁ ରାଜ୍ୟର ଭାଗକୁ ସର୍ବନିମ୍ନ ୫୦ ପ୍ରତିଶତ କରିବାକୁ ଦାବି କରିଛି ଦଳ। କେନ୍ଦ୍ରୀୟ ଯୋଜନାର ଆର୍ଥିକ ଅନୁପାତ ବଢାଇବାକୁ ବିଜେଡି ଦାବି କରିଛି। ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ଏତେ ସବୁ ପ୍ରମୁଖ ଦାବି କରିଥିବାରୁ ଖୋଦ ଅର୍ଥ କମିଶନ ବିଜେଡିକୁ ପ୍ରଶଂସା କରିଛନ୍ତି । କିନ୍ତୁ ଶାସନରେ ଥାଇ ରାଜ୍ୟର ସ୍ୱାର୍ଥ ସଂପର୍କରେ ପଦୁଟିଏ ବି ଦାବି ରଖି ନ ଥିବାରୁ ଉଭୟ ସରକାର ଓ ବିଜେପି ଉପରେ ବର୍ଷିଛି ବିଜେଡି । କହିଛି, ଏତେ ଡର କାହିଁକି ? ବିଜେପି ସ୍ମାରକପତ୍ରରେ କୌଣସି କଥାକୁ ସ୍ଥାନ ମିଳିନି । ଡବଲ ଇଞ୍ଜିନ ସରକାର ଆସିବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଫୋକସ ଷ୍ଟେଟର ମାନ୍ୟତା ସାଙ୍ଗେ ସାଙ୍ଗେ ମିଳିଯିବ । କିନ୍ତୁ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ନଥିଲା ବିଜେପିର ସ୍ମାରକପତ୍ର ।
ରାଜ୍ୟରେ ୪୦ ପ୍ରତିଶତ ଅନୁସୂଚିତ ଜାତି, ଜନଜାତି ରହିଛନ୍ତି । ରୟାଲଟି, ପ୍ରଦୂଷଣ ସବୁ ସହିବା ପରେ ଓଡିଶାକୁ ଲାଭ କିନ୍ତୁ ମିଳୁନି। ଉତ୍ତରପୂର୍ବ ରାଜ୍ଯ ଭଳି ୯୦-୧୦ ଅନୁପାତରେ ଅନୁଦାନ ଦେବାକୁ ଦାବି କରିଛି ବିଜେଡି । ବିଜେଡିର ଦାବିକୁ ରାଜ୍ୟ ସରକାର ଅନୁଭବ କରିବା ଦରକାର । କେନ୍ଦ୍ର ପାଖରେ ସେହି ଦାବି ଉପସ୍ଥାପନ କରିବା ଦରକାର ବୋଲି କୁହାଯାଇଛି । ସେପଟେ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କମାନେ ଗୁରୁତ୍ୱ ଦେଉ ନାହାନ୍ତି । କ୍ରେଡିଟ ସହଜରେ ଦେଉ ନାହାନ୍ତି ବୋଲି କମିଶନଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଛି ଉତ୍କଳ ଚାମ୍ବର ଅଫ କମର୍ସ। ଅତ୍ୟାଧୁନିକ ଟେକ୍ନୋଲୋଜି ପାଇଁ ହ୍ୟାଣ୍ଡ ହୋଲଡିଂ, ଜମି ଓ କ୍ଲିଅରାନ୍ସ ସହ ବିଭିନ୍ନ ଷ୍ଟ୍ରାଟେଜିକ ଲୋକେସନରେ କ୍ଲଷ୍ଟରର ବିକାଶ ପାଇଁ ଦାବି ହୋଇଛି ।
ପଂଚାୟତ ଓ ପୌରସଂସ୍ଥା ଭଳି କ୍ଷେତ୍ରକୁ ମିଳୁଥିବା ୪ ପ୍ରତିଶତ ଆର୍ଥିକ ଅନୁଦାନକୁ ୫ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି । ସେଭଳି କୋଇଲା ରୟାଲଟି ବୃଦ୍ଧି, ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଥିବା ଜମି ଯାହା ସବୁ କାମ ନ ହୋଇ ପଡିରହିଛି ସେହି ଜମିକୁ ରାଜ୍ୟକୁ ଫେରାଇ ଦେବାକୁ କିମ୍ୱା ତାହାର ମୂଲ୍ୟ ରାଜ୍ୟକୁ ଦେବାକୁ ବିଜେଡି ଦାବି କରିଛି । ଧାର୍ମିକ ସ୍ଥଳ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା ସହ ଅନ୍ଯ କ୍ଷେତ୍ର ପାଇଁ ବିଜେଡି ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଥିବାବେଳେ ବିଜେପି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଉଠାଇବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।