ପୁଣି ବଡ଼ ପରଦାରେ ପପୁ ପମପମ: ଆସୁଛି ବିଗ୍ ବଜେଟ୍ ଓଡ଼ିଆ ଫିଲ୍ମ ଡଷ୍ଟବିନ
![Papu Pam Pam](https://nandighoshatv.com/wp-content/uploads/2025/02/Papu-Pam-Pam-1024x576.jpg)
ଭୁବନେଶ୍ବର: ଅଭିନେତା ପପୁ ପମପମଙ୍କ ଅଭିନବ ପ୍ରୟାସ । ସୁଟିଂ ସେଟରେ ଘୋଷଣା କଲେ ଫିଲ୍ମର ଶୀର୍ଷକ । ପିକେ ଫିଲ୍ମ ବ୍ୟାନରରେ ସୁଟିଂ ଚାଲିଥିବା ପପୁଙ୍କ ଆଗାମୀ ଫିଲ୍ମର ନାଁ ରଖାଯାଇଛି ଡଷ୍ଟବିନ୍ । କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ସହିତ ନିର୍ଦ୍ଦେଶନା ଦେଉଛନ୍ତି ନିଜେ ପପୁ ପମପମ । କେ.କେ ସାହୁ ପ୍ରଯୋଜକ ଭାର ସମ୍ଭାଳି ଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ । ଦୀପକ ଜେନା ସଂଳାପ ରଚନା କରିଥିବାବେଳେ କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ । ଗୀତିକାର ନିର୍ମଳ ନାୟକ, ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି । ଅଳ୍ପ ଦିନର ବ୍ୟବଧାନ ପରେ ପୁଣିଥରେ ନାୟକ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି ପପୁ । ସିନେମାରେ ଏକ ସଫେଇ କର୍ମଚାରୀ ଭୂମିକାରେ ସେ ନଜର ଆସିବେ । ଯେଉଁଥିରେ ଡେବ୍ୟୁ କରିଛନ୍ତି ନାୟିକା ପ୍ରାଚୀ । ସୁକୁମାର ଟୁଡୁଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟାନ୍ୟ ଚରିତ୍ରରେ ଦୀପାନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ ଓ ମନୋଜ ସ୍ୱାଇଁ ନଜର ଆସିବେ। ଡଷ୍ଟବିନରେ ରହିଛି ସସ୍ପେନ୍ସ ଥ୍ରୀଲର । ଏଥିରେ ଲଭ, ରୋମାନ୍ସ, ଆକ୍ସନ, ଇମୋସନ ସବୁକିଛି ଦେଖିବାକୁ ପାଇବେ ଦର୍ଶକ । ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ, ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ । ଏପ୍ରିଲ ୧୧ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପିକେ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି ।