ଟିମ୍‌ ଇଣ୍ଡିଆ ପାଇଁ ଲକି ଓଡ଼ିଶା: ଭାରତ ସପକ୍ଷରେ ବାରବାଟୀର ବିଜୟ ରେକର୍ଡ

1 min read

କଟକ: ସୁପର ସଣ୍ଡେରେ ସୁପର ମୁକାବିଲା । କଟକରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଏକଦିବସୀୟ ମ୍ୟାଚ । ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ବେଶ ଭଲ ଥିବାରୁ ଏହି ମ୍ୟାଚ ଜିତି ସିରିଜ୍ କବଜା କରିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଏହାସହ ଫିଲ୍ଡ ଯେଉଁପରି ଭାବେ ପ୍ରସ୍ତୁତ କରାଯାଇଛି, ନିଶ୍ଚିତଭାବେ ଏକ ହାଇସ୍କୋରିଂ ମ୍ୟାଚକୁ ଦର୍ଶକ ଉପଭୋଗ କରିବେ ବୋଲି କହିଛନ୍ତି ଅଧିକାରୀ ।

ବାରବାଟୀରେ ହେବ ଚୌକା, ଛକାର ବର୍ଷା । ଏକ ହାଇସ୍କୋର ମ୍ୟାଚ ପାଇଁ ପ୍ରସ୍ତୁତ ଗ୍ରାଉଣ୍ଡ । ମ୍ୟାଚ ହାତେଇ ସିରିଜ କବଜା କରିବ ଟିମ୍ ଇଣ୍ଡିଆ । ରବିବାର କଟକରେ ହେବ ହାଇଭୋଲ୍ଟେଜ ଲଢେଇ । ସିରିଜର ଦ୍ବିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ରେକର୍ଡ କହୁଛି ବାରବାଟୀ ଭାରତୀୟ ଦଳ ପାଇଁ ବେଶ ଶୁଭ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ୫ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୩ଟି ବିଜୟ ହାସଲ କରିଥିଲା ବେଳେ ଇଂଲଣ୍ଡ ୨ଟି ଜିତିଛି । ୧୯୮୨ ଓ ୧୯୮୪ ରେ ଖେଳାଜିଥିବା ପ୍ରଥମ ଦୁଇଟି ମୁକାବିଲାର ପ୍ରଥମେ ମ୍ୟାଚକୁ ୫ ୱକେଟରେ ଭାରତ ଜିତିଥିଲା ବେଳେ ଦ୍ୱିତୀୟ ମ୍ୟାଚକୁ ୧ ରନରେ ଜିତିଥିଲା ଇଂଲଣ୍ଡ । ଏହାପରେ ଦୀର୍ଘ ୧୮ ବର୍ଷ ପରେ ୨୦୦୨ରେ ତୃତୀୟ ମ୍ୟାଚରେ ୧୬ ରନରେ ଭାରତକୁ ହରାଇଥିଲା ଇଂଲଣ୍ଡ । ୨୦୦୮ ଓ ୨୦୧୭ ରେ ବାରବାଟୀରେ ଖେଳାଯାଇଥିବା ଦୁଇଟି ମ୍ୟାଚକୁ କ୍ରମାଗତ ଭାବରେ ୬ ୱକେଟ ଓ ୧୫ ରନରେ ଜିତିଛି ଟିମ୍ ଇଣ୍ଡିଆ । ଏଥର ବ୍ଲାକ୍ ପିଚ୍ ରେ ହେବ ମ୍ୟାଚ୍ । ତେଣୁ ଏକ ହାଇସ୍କୋରିଂ ମ୍ୟାଚକୁ ଦର୍ଶକ ଉପଭୋଗ କରିବେ ।

ଦିବାରାତ୍ର ମ୍ୟାଚ ହୋଇଥିବାରୁ ଡିୟୁ ଫ୍ୟାକ୍ଟର ରହିପାରେ ବୋଲି ଆଶଂକା କରିଛନ୍ତି କ୍ରୀଡ଼ାବିତ । ଦ୍ୱିତୀୟ ବ୍ୟାଟିଂ ରେ ବିଜୟ ସମ୍ଭାବନା ଅଧିକ । ବାରବାଟୀ ବ୍ୟାଟିଂ ଟ୍ରାକ ହୋଇଥିବାରୁ ୨୦୧୭ରେ ଖେଳାଯାଇଥିବା ଶେଷ ମ୍ୟାଚରେ ଯୁବରଜ ସିଂ ୧୨୭ ବଲରୁ ଧୂଆଁଦାର ୧୫୦ ରନ୍ ଓ ଏମ. ଏସ. ଧୋନୀଙ୍କ ୧୩୪ ରନ ବଳରେ ଭାରତ ୩୮୧ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା । ଜବାବରେ ଏହି ବ୍ୟାଟିଂ ଟ୍ରାକର ଫାଇଦା ଉଠାଇ ୩୬୬ ରନ କରି, ମାତ୍ର ୧୫ ରନ ପରାସ୍ତ ହୋଇଥିଲା ଭ୍ରମଣକାରୀ ଇଂଲଣ୍ଡ । ତେଣୁ ୯ ତାରିଖରେ ମ୍ୟାଚ ଜିତି ସିରିଜ କବଜା କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବାରବାଟୀ ବିଜୟ ରେକର୍ଡ ଭାରତ ପକ୍ଷରେ ଥିବାରୁ ଇଂଲଣ୍ଡ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ ।

ନଜର ପକାନ୍ତୁ